ରାଜଧାନୀରେ ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାକୁ ଗଠନ ହେଲା ଆଣ୍ଟି ବର୍ଗଲାରୀ ସ୍କ୍ବାଡ ।

ରାଜଧାନୀ ଭୁବନେଶ୍ବରରେ ଆପାର୍ଟମେଣ୍ଟରୁ ଚୋରି, ଡକାୟତି, ରାହାଜାନୀ ଆଦି ଅପରାଧିକ ଘଟଣା ବୃଦ୍ଧି ପାଇଥିବା ବେଳେ ‌ଅପରାଧ ସଂପର୍କିତ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କୁ କାବୁ କରିବା ପାଇଁ କମିସନରେଟ ପୁଲିସ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି।କମିଶନରେଟ ପୁଲିସର ୧୫୦ ବଛାବଛା ପୁଲିସଙ୍କୁ ନେଇ ଗଠନ ହୋଇଛି ଏହି ଟିମ । ରାତିତମାମ ଚେକିଂ ବ୍ଳକିଂ ସହ ବିଭିନ୍ନ ସ୍ଥାନରେ ନାକା ବନ୍ଦୀ କରୁଛି ଏହି ଟିମ । ଡିସିପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶରେ ଗଠନ ହୋଇଥିବା ଟିମରେ କିଛି ବନ୍ଧୁକଧାରୀ ଅଫିସର ମଧ୍ୟ ରହିଛନ୍ତି । ରାଜଧାନୀ ଉପକଣ୍ଠରେ ପାଇଁତରା ମାରୁଛି ଆଣ୍ଟି ବର୍ଗଲାରୀ ସ୍କ୍ବାଡ।

ଏଥି ପାଇଁ ଏକ ୱାଟ୍ସଆପ୍ ଗ୍ରୁପ ମଧ୍ୟ ଗଠନ ହୋଇଛି । ନିଜେ ଡିସିପି ଏହି ଗ୍ରୁପର ଆଡମିନ ରହିଛନ୍ତି। ସମସ୍ତ ଥାନାର ଥାନାଧିକାରୀ ମଧ୍ୟ ଏହି ଗ୍ରୁପରେ ରହିଛନ୍ତି । ଆପାର୍ଟମେଣ୍ଟର ସଭାପତି ଓ ସେକ୍ରେଟାରୀ ମଧ୍ୟ ଏହି ଗ୍ରୁପରେ ରହିଛନ୍ତି । ଅଚିହ୍ନା ଲୋକଙ୍କ ଚଳପ୍ରଚଳ ଓ ସନ୍ଦିଗ୍ଧ ଗାଡି ଦେଖିଲେ ତୁରନ୍ତ ପହଞ୍ଚୁଛି ପୁଲିସ । ଯେଉଁ ଆପାର୍ଟମେଣ୍ଟର ସିସିଟିଭି କାମ କରୁନାହିଁ, ସେନେଇ ତୁରନ୍ତ ଭୁବନେଶ୍ୱର ଡିସିପିଙ୍କୁ ଜଣାଉଛି ସ୍କ୍ବାଡ଼ । ହି ଅପରେସନ ବେଳେ କିଛି ସନ୍ଦିଗ୍ଧଙ୍କୁ ମଧ୍ୟ କାବୁ କରାଯାଇଛି। ଯେଉଁମାନେ ଦିନରେ ମଜୁରିଆ କାମ କରୁଛନ୍ତି ଏବଂ ରାତିରେ ଲୁଟ୍‌ପାଟ୍‌ କରୁଛନ୍ତି, ସେମାନଙ୍କ ବାବ‌ଦରେ ମଧ୍ୟ ପୁଲିସ ଖବର ପାଇଛି। ଆଉ କିଛି ସ୍ଥାନରେ ପୁଲିସ ଆନ୍ତଃ ରାଜ୍ୟ ଲୁଟେରାଙ୍କ ସନ୍ଧାନ ମଧ୍ୟ ପାଇଛି। ବିଗତ କିଛିଦିନ ଧରି ଆପାର୍ଟମେଣ୍ଟ ଲୁଟ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା।

ଅଧିକ ପଢନ୍ତୁ