ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛକୁଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଜଣେ ଅଜଣା ବୃଦ୍ଧଙ୍କୁ ଓଡଗାଁ ଛକ ଷ୍ଟେଟ ବ୍ୟାଙ୍କ ରୋଡ଼ରୁ ଉଦ୍ଧାର କରି ତ୍ରିନାଥ ଛକ ସ୍ଥିତ ସେଲଟର ହୋମରେ ଥଇଥାନ ବ୍ୟବସ୍ଥା କରିଛନ୍ତି। ସୂଚନାଯୋଗ୍ୟ ଯେ ନୟାଗଡ଼ ସିଜେଏମ ଏହି ରାସ୍ତା ଦେଇ ଯାଉଥିବା ବେଳେ ଅସହାୟ ଅବସ୍ଥାରେ ସମ୍ପୃକ୍ତ ବୃଦ୍ଧଙ୍କୁ ଦେଖି ତୁରନ୍ତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ନଜରକୁ ଆଣିଥିଲେ। ଏହା ପରେ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରାଧିକରଣ ସଚିବଙ୍କ ତ୍ୱରିତ ପଦକ୍ଷେପ ଏବଂ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରାଙ୍କ ମାନବିକତା ସହଯୋଗ ଯୋଗୁଁ ଜଣେ ଅସହାୟ ବୃଦ୍ଧଙ୍କ ଜୀବନ ଉଦ୍ଧାର ହୋଇଥିବା ବେଳେ ଶ୍ରୀଯୁକ୍ତ ବେହେରାଙ୍କୁ ବିଭିନ୍ନ ମହଲରୁ ଭୁୟସୀ ପ୍ରଶଂସା କରାଯାଇଛି।