ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ ବାଘ । ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ କୁମାର ଝାଙ୍କ ସୂଚନା ।
ଜିନତ ଓ ଯମୁନାକୁ ମିଶାଇ ଶିମିଳିପାଳରେ ଅଛନ୍ତି ୪୦ ମହାବଳ ବାଘ । ୪୦ ମହାବଳ ଭିତରୁ ୬ଟି ଶାବକ, ୧୭ଟି ବାଘୁଣି ରହିଛନ୍ତି ।ଆଗାମୀ ୧୦ ବର୍ଷରେ ମହାବଳ ସଂଖ୍ୟା ଶହେକୁ ପହଞ୍ଚାଇବାକୁ ଲକ୍ଷ୍ୟ ଥିବା ପ୍ରେମ କୁମାର ପ୍ରକାଶ କରିଛନ୍ତି। ଗତବର୍ଷ ଶିମିଳିପାଳରେ ୨୭ ମହାବଳ ସହ ୮ ଶାବକ ଥିଲେ।ଶିମିଳିପାଳରେ ଥିବା ମହାବଳଙ୍କ ଭିତରୁ ୧୮ଟି କଳାମହାବଳ ରହିଛନ୍ତି ।ଅନ୍ୟପଟେ ମୟୂରଭଞ୍ଜ ଜିଲାର ଏହି ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟକୁ ଗୁରୁବାରଠାରୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିଛି। ଗୁରୁବାର କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ଜଙ୍ଗଲ, ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଏନେଇ ସୂଚନା ଦେଇଥିଲେ। ଏହାକୁ ଜାତୀୟ ଉଦ୍ୟାନ ଘୋଷଣା ପରେ ଏହା ଭାରତର ୧୦୭ ଓ ଓଡିଶାର ୨ ନମ୍ବର ଜାତୀୟ ପାର୍କ ହୋଇଛି। ଆଜି ଠାରୁ ଏହା ଶିମିଳିପାଳ ଜାତୀୟ ଉଦ୍ୟାନ ବା ନ୍ୟାଶନାଲ ପାର୍କ ଭାବରେ ପରିଗଣିତ ହୋଇଛି ବୋଲି ଜଙ୍ଗଲ ମନ୍ତ୍ରୀ ଗଣେଶରାମ କହିଛନ୍ତି।
