ଆସୁଛି ନୂଆବର୍ଷ । ପର୍ଯ୍ୟଟକଙ୍କ ସ୍ବାଗତ ପାଇଁ ନୂଆ ଏବଂ ନିଆରା ଢଙ୍ଗରେ ସଜେଇ ହେଲାଣି ନୀଳାଚଳ ଧାମ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପୁରୀକୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବାର ଏବେଠୁ ସଂକେତ ମିଳିଲାଣି ।ଏଥିପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ପୁରୀ ଏସ୍ପି ବିନୀତ ଅଗ୍ରୱାଲ । ଦାୟିତ୍ବରେ ରହିବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ । ସିସିଟିଭି ବଳୟରେ ରହିବ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ,ପର୍ଯ୍ୟଟକଙ୍କ ସୁରକ୍ଷା,ଟ୍ରାଫିକ ସୁପରିଚାଳନାକୁ ଗୁରୁତ୍ବ ଦିଆଯାଇଛି ।
ସମୁଦ୍ର କୂଳରେ ଅଘଟଣ ରୋକିବାକୁ ମୁତୟନ ହେବେ ଲାଇଫ ଗାର୍ଡ । ଡିସେମ୍ବର ୩୧ରୁ ଜାନୁଆରୀ ୧ ତାରିଖ ଯାଏ ଏହି କଟକଣା ବଳବତ୍ତର ରହିବ । ତେବେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିବେ। ଜାନୁଆରୀ ୧୫ ତାରିଖ ଯାଏ ପୁରୀରେ ଥିବା ପ୍ରାୟ ୧୩ ଶହ ହୋଟେଲ୍ରେ ୮୦ରୁ ୯୦ ପ୍ରତିଶତ ବୁକିଂ ସରିଗଲାଣି । ଆଉ କିଛି ହୋଟେଲରେ ମାତ୍ର ୧୦ରୁ ୧୫ ପ୍ରତିଶତ ରୁମ୍ ବୁକିଂ ଅପେକ୍ଷାରେ ରହିଛି । ଅଧିକାଂଶ ବୁକିଂ ରାଜ୍ୟ ବାହାରରୁ ହୋଇଥିବା ବେଳେ, ଅନ୍ଲାଇନ୍ ବୁକିଂ ଅଧିକ। ସେହିପରି ନୂଆବର୍ଷ ସେଲିବ୍ରେସନକୁ ମେମୋରେବୁଲ୍ କରିବା ପାଇଁ ସହରରେ ଥିବା ହୋଟେଲ ଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।