କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ଗୋଡୱାନା ଏକ୍ସପ୍ରେସରେ ଦିଲ୍ଲୀରୁ ଜବଲପୁର ଯାଉଥିବା ବେଳେ ହଠାତ୍ ଟ୍ରେନରୁ ଗାଏବ ହୋଇଗଲେ । ଶନିବାର ରାତିରେ ଟ୍ରେନରେ ଚଢିଥିବା ମନ୍ତ୍ରୀ ରବିବାର ସକାଳେ ସିଟରୁ ଅଚାନକ କୁଆଡ଼େ ଚାଲିଯିବାକୁ ନେଇ ରେଲୱେ ବିଭାଗ ତୁରନ୍ତ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଦେଲେ । ତିନି ଘଣ୍ଟାର ଖୋଜାଖୋଜି ପରେ, ସେ ମଧ୍ୟପ୍ରଦେଶର ସିହୋରା ରୋଡ ରେଳ ଷ୍ଟେସନରେ, ପ୍ରାୟ ୧୬୨ କିଲୋମିଟର ଦୂରରେ, ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଟ୍ରେନରେ ଆହତ ଅବସ୍ଥାରେ ମିଳିଥିଲେ।ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଓରାମ ରବିବାର ସକାଳ ୩:୪୫ରେ ଦାମୋହ ଷ୍ଟେସନରେ ତାଙ୍କ ସୁଗାର ମାତ୍ରା କମିଯିବା ଯୋଗୁଁ ଟ୍ରେନରୁ ଓହ୍ଲାଇଥିଲେ। ଟ୍ରେନ ଚଳାପଡ଼ିବା ସମୟରେ ସେ ପୁନର୍ବାର ଚଢ଼ିବାକୁ ଚେଷ୍ଟା କରିଥିଲେ। ଚଢ଼ିବା ସମୟରେ ସେ ଖସି ପଡ଼ି ଆହତ ହୋଇଥିଲେ। ଏହାର ମଧ୍ୟରେ, ତାଙ୍କ ଟ୍ରେନ ଛାଡ଼ି ଦେବା ପରେ ସେ ଷ୍ଟେସନର ଅନ୍ୟ ପ୍ଲାଟଫର୍ମରେ ପହଞ୍ଚିଥିବା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ ଟ୍ରେନରେ ଚଢ଼ିଥିଲେ।
ତେବେ, ଓରାମଙ୍କ ବ୍ୟକ୍ତିଗତ ସହାୟକ (PA) ରିପୋର୍ଟ କରିଥିଲେ ଯେ କେନ୍ଦ୍ର ମନ୍ତ୍ରୀ ହର୍ଦୁଆ ରେଳ ଷ୍ଟେସନରେ ଟ୍ରେନରୁ ନିଖୋଜ ହୋଇଥିଲେ। ପରେ ଜଣାପଡ଼ିଥିଲା ଯେ ଟ୍ରେନ ସେହି ଷ୍ଟେସନରେ ମୋଟେ ଅଟକି ନଥିଲା। ଶେଷରେ ସେ ରବିବାର ସକାଳ ୬:୫୫ରେ ସିହୋରା ରୋଡ ରେଳ ଷ୍ଟେସନରେ ମିଳିଥିଲେ। ମନ୍ତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇ ତାଙ୍କୁ ଜବଲପୁର ନିଆଯାଇଥିଲା।ରେଲୱେର ବରିଷ୍ଠ ଡିଏସିଏମ ମଧୁର ବର୍ମା ଏବଂ ସିହୋରାର ଆରପିଏଫ୍ ପୋଷ୍ଟ୍ ପ୍ରଭାରୀ ରାଜୀବ ଖରବଙ୍କ କହିବାନୁସାରେ ସୂଚନା ମିଳିବା ମାତ୍ରେ ଷ୍ଟାଫଙ୍କୁ ଆଲର୍ଟ କରାଇ ଦିଆଯାଇଥିଲା । ଜବଲପୁର ପହଞ୍ଚିବା କ୍ଷଣି କେନ୍ଦ୍ରମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା । ତେବେ ଏହି ଘଟଣାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।