୧୯ ବର୍ଷ ପରେ ପୁଣି ଓଡ଼ିଶା ଫେରିପାରେ ଦକ୍ଷିଣ କୋରିଆ ଇସ୍ପାତ କମ୍ପାନି ପୋସ୍କୋ ।

୧୯ ବର୍ଷ ପରେ ପୁଣି ଓଡ଼ିଶା ଫେରିପାରେ ଦକ୍ଷିଣ କୋରିଆ ଇସ୍ପାତ କମ୍ପାନି ପୋସ୍କୋ । ଏଥିପାଇଁ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ସହ ଅନୁବନ୍ଧିତ ହୋଇଥିବା ଜଣାପଡ଼ିଛି । ଉଭୟ କମ୍ପାନିଙ୍କ ମଧ୍ୟରେ ଏକ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି । ଏଠାରୁ ବାର୍ଷିକ ୫ ମିଲିୟନ ଟନ୍ ଷ୍ଟିଲ ଉତ୍ପାଦନ ହେବା ଲକ୍ଷ୍ୟ ରହିଛି । ପୂର୍ବରୁ ୨୦୦୫ରେ ଓଡ଼ିଶା ସରକାର ଓ ପୋସ୍କୋ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଥିଲା ।

ଏହି MOU ଅନୁସାରେ ଓଡ଼ିଶାରେ ୧୨ ମିଲିୟନ ଟନ ଉତ୍ପାଦନକ୍ଷମ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବାର ଥିଲା । ଜଗତସିଂହପୁର ଜିଲ୍ଲାରେ ଏହି ପ୍ଲାଣ୍ଟ ନିର୍ମାଣ ପାଇଁ ସମସ୍ତ ପ୍ରକାର ଅନୁମତି ଲାଭ କରିଥିଲା ପୋସ୍କୋ । ଏଥିପାଇଁ ଭୂମିପୂଜନ ମଧ୍ୟ ସରିଥିଲା। କିନ୍ତୁ ଏହା ହୋଇନପାରିବାରୁ ୨୦୧୩ରେ ପ୍ରତ୍ୟାବର୍ତ୍ତନ କରିଥିଲା ପୋସ୍କୋ । ବର୍ତ୍ତମାନ ସେହି ସ୍ଥାନରେ JSWକୁ ଷ୍ଟିଲ ପ୍ଲାଣ୍ଟ କରିବାକୁ ଅନୁମତି ମିଳିଛି ।ଏମ୍‌ଓୟୁ ମୁତାବକ ଉଭୟ କମ୍ପାନି ଷ୍ଟିଲ୍‌, ବ୍ୟାଟେରି ଉପକରଣ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବେ । ଯଦିଓ ପ୍ଲାଣ୍ଟ କେଉଁଠି ସ୍ଥାପନ ହେବ ସେଥିପାଇଁ ଉଭୟ କମ୍ପାନିଙ୍କ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ, ତଥାପି ଏହା ଓଡ଼ିଶାରେ ହୋଇପାରେ ବୋଲି ଅନୁମାନ କରାଯାଉଛି । ନିବେଶ ରାଶିର ଅଧା ଲେଖାଏଁ ଯୋଗଦାନ ଦେବାକୁ ଉଭୟ କମ୍ପାନି ଯୋଜନା ରଖିଥିବା ଜଣାପଡ଼ିଛି ।

ଅଧିକ ପଢନ୍ତୁ