୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ସହ ପର୍ଯ୍ୟାପ୍ତ ଔଷଧ ମହଜୁଦ ନିର୍ଦ୍ଦେଶ

ସମ୍ଭାବ୍ୟ ବାତ୍ୟା ଓ ବାତ୍ୟା ପରବର୍ତ୍ତୀ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକ ଆଜି ଲୋକସେବା ଭବନରେ ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଯାଇଛି। ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ପ୍ରଶାସକଙ୍କୁ ବାତ୍ୟା, ବନ୍ୟା ଓ ବିପର୍ଯ୍ୟୟ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ, ଜିଲ୍ଲା, ଉପଖଣ୍ଡ ଓ ବ୍ଲକସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ, ସମସ୍ତ ଚିକିତ୍ସାଳୟରେ ପର୍ଯ୍ୟାପ୍ତ ପରିମାଣର ଔଷଧ, ଓଆରଏସ୍‌, ହାଲୋଜେନ ବଟିକା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁତ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ଗର୍ଭବତୀ ମହିଳାମାନଙ୍କୁ ନିକଟସ୍ଥ ମା’ଗୃହକୁ ସ୍ଥାନାନ୍ତରଣ କରିବା, ଡାକ୍ତରଖାନାରେ ଡିଜି-ଜେନେରେଟର ଓ ପର୍ଯ୍ୟାପ୍ତ ପରିମାଣର ଡିଜେଲ ମହଜୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ, ଜିଲ୍ଲା ଓ ବ୍ଲକର ତ୍ୱରିତ ପ୍ରତିକ୍ରିୟା ଦଳକୁ ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ପାଇଁ ପ୍ରସ୍ତୁତ ରହିବା, କୋଲ୍‌ଡ ଚେନ ପଏଣ୍ଟ ଓ ପାୱାର ବ୍ୟାକଅପ୍‌ର ବନ୍ଦୋବସ୍ତ, ଜଳର ନିୟମିତ ପରୀକ୍ଷା, ନିର୍ଦ୍ଦିଷ୍ଟ ପୋର୍ଟାଲରେ ନିୟମିତ ବ୍ୟବଧାନରେ ତଥ୍ୟ ଅପଲୋଡ୍‌, ଗର୍ଭବତୀ ମହିଳା, ସାପ କାମୁଡ଼ା ଓ ଦୁର୍ଘଟଣା ପାଇଁ ସ୍ୱତନ୍ତ୍ର ଶଯ୍ୟା ସଂରକ୍ଷିତ ରଖିବାକୁ କୁହାଯାଇଛି। ବ୍ୟାପକ ଜନସଚେତନତା, ଅକ୍ସିଜେନ ସିଲିଣ୍ଡର ମହଜୁତ ରଖିବା, ସଦର ମହକୁମା ନ ଛାଡ଼ିବା ଓ ଯେଉଁଠି ଔଷଧ ମହଜୁତ ନାହିଁ ବା ଅଧିକ ଔଷଧର ଆବଶ୍ୟକତା ରହିଛି ତୁରନ୍ତ ବିଭାଗକୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ବ୍ରହ୍ମପୁର ସ୍ଥିତ MKCG ମେଡିକାଲ କଲେଜ ଓ ହସ୍‌ପିଟାଲର ଡାକ୍ତର ଓ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଛନ୍ତି କର୍ତ୍ତୃପକ୍ଷଛି।୨୩ରୁ ୨୫ତାରିଖ ପର୍ଯ୍ୟନ୍ତ ଡାକ୍ତର, କର୍ମଚାରୀଙ୍କ ଛୁଟି ବାତିଲ ସହ ହେଡକ୍ୱାର୍ଟର୍ସରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେ ଇସବୁ ବିଭାଗୀୟ ମୁଖ୍ୟଙ୍କୁ ଏମକେସିଜି ଡିନ୍ ତଥା ପ୍ରିନ୍ସିପାଲ ଚିଠି ଲେଖିଛନ୍ତି।

ଅଧିକ ପଢନ୍ତୁ

kc ads