ଅକ୍ଟୋବର ୭ରୁ ହବିଷ ବ୍ରତ। ମାସେ ଧରି ବ୍ରତ ପାଳନ କରିବେ ହବିଷ୍ଯାଳୀ । ସୁଚାରୁ ରୂପେ ପରିଚାଳନା ପାଇଁ ପୁରୀ ସର୍କିଟ୍ ହାଉସରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ହବିଷ୍ୟାଳୀମାନେ ମାସେ ଧରି ଶ୍ରୀକ୍ଷେତ୍ରରେ ରହିବାକୁ ଆସୁଥିବାରୁ ସେମାନଙ୍କ ସମସ୍ତ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରାଯିବ ।ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କୁ ପୁରୀରେ ରହଣି, ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ ପ୍ରଭୃତିର ମାଗଣା ସୁବିଧା ଯୋଗାଇ ଦିଆଯିବ । ସନ୍ଧ୍ୟାରେ ପ୍ରବଚନ, ଭଜନ, ପାଲା ପରିବେଷଣ ହେବ । ଏ ନେଇ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ହବିଷ୍ୟାଳିଙ୍କ ନିମନ୍ତେ ସୁରକ୍ଷିତ ରହଣି, ଦର୍ଶନ ବ୍ୟବସ୍ଥା, ମହାପ୍ରସାଦ ସେବନ, ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାତାୟାତ ଏବଂ ଚିକିତ୍ସା ବ୍ୟବସ୍ଥା ଇତ୍ୟାଦି କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ଦାୟିତ୍ୱ ବାଣ୍ଟିଛନ୍ତି । ଠାକୁର ଦର୍ଶନ ସମୟରେ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଆରକ୍ଷୀ ବିଭାଗ ଓ ସ୍ଵେଛାସେବୀମାନେ ସମନ୍ୱୟ ରଖି କାର୍ଯ୍ୟ କରିବେ ।
