ଅଗଷ୍ଟ ୧୦ରୁ ଫାଇଲେରିଆ ନିରାକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ

ଫାଇଲେରିଆ ନିରାକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ (ଏମ୍‌ଡିଏ) ୧୦ ଅଗଷ୍ଟ ଠାରୁ ଆରମ୍ଭ ହେବ । ଏହି ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମରେ ୧କୋଟି ୭ ଲକ୍ଷ ଜଣଙ୍କୁ ଫାଇଲେରିଆ ନିରୋଧୀ ଔଷଧ ଦିଆଯିବ । ଫାଇଲେରିଆ ନିରାକରଣ ପାଇଁ ଏହି ୧୨ଟି ଜିଲ୍ଲାର ୧୧୫ ଟି କାର୍ଯ୍ୟାନ୍ୱୟନ ୟୁନିଟ ରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ । ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଅଧୀନରେ ୩ଟି ଔଷଧ ଯଥା – ଡିଇସି, ଆଲବେଣ୍ଡାଜୋଲ ଓ ଆଇଭରମେକ୍ଟିନ ବଟିକା ଖାଇବାକୁ ଦିଆଯିବ । ୨ ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଅସୁସ୍ଥଙ୍କୁ ଏହି ଔଷଧ କୁ ଖାଇବାକୁ ବାରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୪୧ ,୦୦୦ ଡ୍ରଗ ଆଡ୍‌ମିନିଷ୍ଟ୍ରେଟର ନିୟୋଜିତ ହୋଇଛନ୍ତି। ସେମାନଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ ୪୧୦୦ ଜଣ ପର୍ଯ୍ୟବେକ୍ଷକ ରହିଛନ୍ତି ବୋଲି ବିଭାଗ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି।କାର୍ଯ୍ୟସୂଚୀ ଅନୁଯାୟୀ, ଅନୁଗୋଳ,ବାଲେଶ୍ଵର, ବରଗଡ଼, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡ଼ା, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର,ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲାରେ ୧୦ରୁ ୧୯ ତାରିଖ ମଧ୍ୟରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ସହିତ ଜାତୀୟ କୃମିନାଶକ ଦିବସ(ଏନ୍‌ଡିଡି) କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟ।ୟ ଅନୁଷ୍ଠିତ ହେବ । ଆଶା, ଅଙ୍ଗନୱାଡି, ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଅନ୍ୟ ସ୍ବେଚ୍ଛାସେବୀଙ୍କୁ ଡ୍ରଗ୍ ଆଡମିନିଷ୍ଟ୍ରେଟର ଭାବେ ଚିହ୍ନଟ କରାଯାଇଛି। ସେମାନେ ପ୍ରତ୍ୟେକ ଘରକୁ ଘର ଯାଇ ଏମ୍‌ଡିଏ ଔଷଧ ସେବନ କରାଇବେ ।

ଅଧିକ ପଢନ୍ତୁ