ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ଅଞ୍ଚଳ ସମୁଦ୍ର ବେଳାଭୂମିରେ ଅଲିଭ ରିଡ୍ଲେ କଇଁଛ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଛି। ଦୈନିକ ଏବେ ଅଣ୍ଡାରୁ ଛୁଆ ବାହାରି ସମୁଦ୍ର ମୁହାଁ ହେଉଛନ୍ତି। ତେବେ ସମୁଦ୍ର ମଧ୍ୟକୁ ଯିବା ପ୍ରକ୍ରିୟା ୪ରୁ ୫ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ଶିକାରୀ ଓ ପଶୁଙ୍କ କବଳରୁ କଇଁଛ ଛୁଆଙ୍କୁ ରକ୍ଷା କରିବା ଲାଗି ଋଷିକୁଲ୍ୟା ମୁହାଣର ଉଭୟ ପାର୍ଶ୍ୱରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁଦୂର ଦେଶରୁ ହଜାର ହଜାର କିଲୋମିଟର ଅତିକ୍ରମ କରି ଏନ୍ତୁଡିଶାଳ ଗଞ୍ଜାମ ଋଷିକୁଲ୍ୟା ମୁହାଣ ନିକଟକୁ ଆସି ଅଣ୍ଡାଦାନ କରି ବାଲିରେ ପୋତି ମା’ ଅଲିଭ ରିଡ୍ଲେ କଇଁଛ ସମୁଦ୍ରକୁ ଚାଲି ଯାଇଥାଏ। ଛୁଆ ବାହାରିବା ପରେ କୁନି ଶାବକମାନେ ମଧ୍ୟ ସମୁଦ୍ରକୁ ଚାଲିଯାଇଥାନ୍ତି। ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଦୁଇଥର ୯ ଲକ୍ଷ ୪ ହଜାର ୫୧୭ ଗଣଅଣ୍ଡାଦାନ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଫେବ୍ରୁଆରି ୧୬ରୁ ୨୩ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୬ ଲକ୍ଷ ୯୮ ହଜାର ମାର୍ଚ୍ଚ ୨୨ରୁ ୨୭ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟରେ ୨ ଲକ୍ଷ ୫ ହଜାର କଇଁଛ ଗଣଅଣ୍ଡାଦାନ କରିଥିଲେ।
