ତେଜିଲା ଅଦିନିଆ ରଥଯାତ୍ରା ବିବାଦ। ଇସ୍କନ ଉପରେ ବର୍ଷିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ସେ କହିଛନ୍ତି ଯେ, ଶ୍ରୀଜଗନ୍ନାଥ ସଂସ୍କୃତିର ଅପପ୍ରଚାର କରୁଛି ଇସ୍କନ । ରଥଯାତ୍ରାକୁ ନେଇ ଅପପ୍ରଚାର କରାଯାଉଛି । ଏବେ ଆଚାର୍ଯ୍ୟ ମାନଙ୍କ ମତ ଗ୍ରହଣ କରିବାର ସମୟ ଆସିଛି । ଯଦି ଆଚାର୍ଯ୍ୟ ଓ ଭକ୍ତମାନେ ଚୁପ୍ ରହିବେ ତେବେ ଇସ୍କନ ମନଇଚ୍ଛା ଅଦିନିଆ ରଥଯାତ୍ରା କରିବେ । ଇସ୍କନ ଠାରୁ ସମସ୍ତେ ଦେଖି ଅଦିନିଆ ରଥଯାତ୍ରା କରୁଛନ୍ତି । ଇସ୍କନର ଏଭଳି ନିଷ୍ପତ୍ତିକୁ ଆମେ ମାନିବୁ ନାହିଁ ବୋଲି କହିଛନ୍ତି ଗଜପତି ମହାରାଜ । ଭାରତ ବାହାରେ ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ କେହିନାହାନ୍ତି । ଆମର ଓଡ଼ିଆ ଭାଇମାନେ ଅଦିନିଆ ରଥଯାତ୍ରାରେ ଅଂଶଗ୍ରହଣ କରିବା ସହ ଚାନ୍ଦା ଦେଉଛନ୍ତି । ଆଗକୁ ଅଦିନିଆ ରଥଯାତ୍ରା ଏକ ପରମ୍ପରାରେ ପରିଣତ ହୋଇଯିବ । ଶାସ୍ତ୍ର ମତ ଅନୁଯାୟୀ ରଥଯାତ୍ରା ପାଳନ ହେବା ଉଚିତ । ଅଦିନିଆ ରଥଯାତ୍ରା ଓ ଜଗନ୍ନାଥ ଧାମକୁ ନେଇ ବ୍ୟତିକ୍ରମ ହେଉଛି । ପୁରୀ ଶରଧାବାଲି ପାର୍ଶ୍ୱ ରାଧାବଲ୍ଲଭ ମଠ ଠାରେ ଅନୁଷ୍ଠିତ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ କାର୍ଯ୍ୟକ୍ରମରେ ଗଜପତି ମହାରାଜା ଯୋଗଦେଇ ଏହି ମତ ରଖିଛନ୍ତି ।
