ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ଯକ୍ଷଙ୍କ ନିର୍ଦ୍ଦେଶରେ ତଥା ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ତ୍ଵାବଧାନରେ ଗ୍ରାମୀଣ ଆଇନ୍ ସଚେତନତା କର୍ମୀ ପ୍ରଫୁଲ୍ଲ କୁମାର ବେହେରା, ମମତା ବେହେରା, ଶୁଭଶ୍ମିତା ମିଶ୍ରଙ୍କ ହସ୍ତକ୍ଷେପରେ ପ୍ରଥମ ଦଫାରେ ଜାତୀୟ ସେବା ସଂସ୍ଥା ବହୁମୁଖୀ ଶିକ୍ଷା ନିକେତନ,ନବଘନପୁର ଛାତ୍ରୀ ଗାୟତ୍ରୀ ନାୟକଙ୍କ ବିଦ୍ୟାଳୟକୁ ପୁନଃ ପ୍ରତ୍ୟାବର୍ତ୍ତନରେ ସାଙ୍ଗସାଥଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ପ୍ରକାଶଥାଉ କି, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ନୟାଗଡ଼ଙ୍କ ତରଫରୁ ଏକମାସ ତଳେ ନବଘନପୁର ବିଦ୍ୟାଳୟ ଠାରେ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ସଚିବ ଜାଣିବାକୁ ପାଇଲେ ଯେ, ଏହି ବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନ ଆସି ଘରେ ରହିଛନ୍ତି । ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ କିପରି ଆସି ପୁଣି ପାଠପଢ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ଦେଶ ଗଠନରେ ସହାୟକ ହେବେ ସେଥିପାଇଁ ଗ୍ରାମୀଣ ଆଇନ୍ ସଚେତନତା କର୍ମୀ ୩ଜଣଙ୍କ ଦାୟିତ୍ଵ ଦେଇଥିଲେ । ସଚେତନତା କର୍ମୀମାନେ ବିଦ୍ୟାଳୟକୁ ଯାଇ ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ନାୟକଙ୍କୁ ଭେଟି ଅଧାରୁ ପାଠ ଛାଡ଼ି ବିଦ୍ୟାଳୟକୁ କିଏ କିଏ ଆସୁନାହାନ୍ତି ଏହାର ଏକ ତାଲିକା ସଂଗ୍ରହ କରିଥିଲେ । ସଚେତନତା କର୍ମୀମାନେ ଜାଣିବାକୁ ପାଇଲେ ଯେ, ୯ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସୁନାହାନ୍ତି । ପ୍ରଫୁଲ୍ଲ କୁମାର ବେହେରା, ମମତା ବେହେରା, ଶୁଭସ୍ମିତା ମିଶ୍ର ଗାଁକୁ ଗାଁ ଯାଇ ଛାତ୍ରଛାତ୍ରୀ ଏବଂ ତାଙ୍କର ଅଭିଭାବକଙ୍କୁ ଯୋଗାଯୋଗ କରି କରଡ଼ାବଣିର ଗାୟତୀ ନାୟକଙ୍କୁ ବିଦ୍ୟାଳୟରେ ପ୍ରବେଶ କରାଇଥିଲେ । ଯାହାଫଳରେ ବିଦ୍ୟାଳୟରେ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା । ଅବଶିଷ୍ଟ ଛାତ୍ରଛାତ୍ରୀ ଖୁବ୍ଶୀଘ୍ର ପାଠପଢ଼ି ଆସିବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି । ଜିଲ୍ଲା ଆଇନ୍ସେବା ପ୍ରାଧିକରଣର ଏପରି
କାର୍ଯ୍ୟକୁ ବୁଦ୍ଧିଜୀବୀମାନେ ସ୍ଵାଗତ କରିଛନ୍ତି |