କଲେଜରେ କ୍ଲାସ ନକରି ଖଟି କରୁଥିଲେ ଆକ୍ସନ୍ ନେବ ଉଚ୍ଚଶିକ୍ଷା ବିଭାଗ । କଠୋର କାର୍ଯ୍ୟାନୁଷ୍ଠାନ ସହ ବନ୍ଦ ହୋଇପାରେ ଦରମା । ଏନେଇ ବିଭାଗ ପକ୍ଷରୁ ସବୁ ସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ହୋଇଛି । ସୂଚନା ଅନୁସାରେ, ଉଚ୍ଚଶିକ୍ଷା ବିଭାଗର ଅନୁଧ୍ୟାନ ବେଳେ ନଜରକୁ ଆସିଥିଲା ଅବହେଳା । କଟକ ଜିଲ୍ଲାର ୨ ସଂସ୍କୃତ ଅନୁଦାନପ୍ରାପ୍ତ କଲେଜରେ ଖଟି କରୁଥିଲେ ଅଧ୍ୟାପକ । କ୍ଲାସ ନକରି ଅଧ୍ୟାପକ ଚେୟାର ବସି ମୋବାଇଲ୍ରେ ବ୍ୟସ୍ତ ଥିଲେ ।ଏପରିକି ଯାଞ୍ଚ ସମୟରେ କଲେଜ କର୍ତ୍ତୃପକ୍ଷଙ୍କୁ ଅଧିକାରୀମାନେ ଉପସ୍ଥାନ ରେଜିଷ୍ଟର ମାଗିଥିଲେ । ହେଲେ ଦେଖିବାକୁ ମିଳିଥିଲା ଏଥିରେ ଅଧ୍ୟକ୍ଷ ଓ କିଛି କର୍ମଚାରୀ ୪ ଦିନ ଧରି ଦସ୍ତଖତ କରିନଥିଲେ । ଯାହା ସରକାରଙ୍କ ନିୟମ ଓ ନିର୍ଦ୍ଦେଶାବଳୀକୁ ବ୍ୟାପକ ଉଲ୍ଲଂଘନ । କେବଳ ଏତିକି ନୁହେଁ ପରିଦର୍ଶନରେ ଯାଇଥିବା ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ କଲେଜ ଅଧ୍ୟକ୍ଷଙ୍କୁ ବାୟୋମେଟ୍ରିକ୍ ଉପସ୍ଥାନ ରେକର୍ଡ, ଲେସନ୍ ପ୍ଲାନ୍ ମାଗିଥିଲେ । କ୍ୟାସ୍ ବୁକ୍, ଛାତ୍ର ଉପସ୍ଥାନ ରେକର୍ଡ, ଡିସିଆର୍ ଓ ସମୟ ସାରଣୀ ଆଦି ମାଗିଥିଲେ । ହେଲେ ଅଧ୍ୟକ୍ଷ ଏହାକୁ ଦେଖାଇପାରିଲେ ନାହିଁ । ଯାହାକୁ ନେଇ ଉଚ୍ଚଶିକ୍ଷା ବିଭାଗ ଖପ୍ପା ହୋଇଛି ।
