ଅନଲାଇନ ଉପସ୍ଥାନକୁ ଜିଲ୍ଲା ମିଳିତ ଶିକ୍ଷକ ସଂଘର ବିରୋଧ

ନୟାଗଡ଼,(ଓଡ଼ିଶା ଦର୍ପଣ): ଏପ୍ରିଲ ୧୦ ତାରିଖରୁ ସମଗ୍ର ରାଜ୍ୟରେ ସରକାରଙ୍କ ପକ୍ଷରୁ ଅନ୍‌ଲାଇନରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ନେବା ନିର୍ଦ୍ଦେଶକୁ ନୟାଗଡ଼ ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ଆଜି ଅପରାହ୍ନରେ ସ୍ଥାନୀୟ ପ୍ରାଥମିକ ଶିକ୍ଷକ ଭବନରେ ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ, ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ,ଆଲୋଷ୍ଟା, ଏକ୍ସ କ୍ୟାଡର ଶିକ୍ଷକ ସଂଘ ଆଦି ପକ୍ଷରୁ ଏକ ମିଳିତ ବୈଠକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଜ୍ୟୋତି ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୦ ତାରିଖ ଠାରୁ ରାଜ୍ୟରେ ସମସ୍ତ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ
ଉପସ୍ଥାନ ଅନଲାଇନରେ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଏ ବାବଦରେ ଉପଯୁକ୍ତ ଭିତ୍ତିଭୂମିର ବିକାଶ ସରକାର କରି ନାହାନ୍ତି। ଅନଲାଇନ୍ ଉପସ୍ଥାନ ପାଇଁ
ଉପକରଣ, ୱାଇଫାଇ ସେବା, ଡାଟା ଏଣ୍ଟ୍ରି ଅପରେଟର ବିଦ୍ୟାଳୟ ଗୁଡିକୁ ଯୋଗାଇ ନଦେଇ କେବଳ ଅନଲାଇନ୍ ଉପସ୍ଥାନ ପାଇଁ ଚିଠି କରିଥିବାରୁ ଶିକ୍ଷକ ସଂଘ ଗୁଡ଼ିକ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପାଇଥିବା ବେଳେ ଏ ନେଇ ରାଜ୍ୟ ସରକାରଙ୍କୁ ଦାବି ପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି ।

ଆଜିର ଏହି ବୈଠକରେ ବିଭିନ୍ନ ଶିକ୍ଷକ ସଂଗଠନ ମାନଙ୍କ ପକ୍ଷରୁ ଶିକ୍ଷକ ନେତା ମାଣିକେଶ୍ବର ସ୍ୱାଇଁ, ପରମାନନ୍ଦ ଦଳେଇ, ଶେଖ ଅବଦୁଲ ଖାଲିକ, ଭକ୍ତରଞ୍ଜନ ମିଶ୍ର,ବିଭୁତି ଭୂଷଣ ସାହୁ,ବାମନ ବାରିକି, ବାଲୁରୀ ବାରିକ, ଲକ୍ଷ୍ମୀଧର ସାହୁ,ସୁରେଶ ଚନ୍ଦ୍ର ସେଠି,ପୀତବାସ ପ୍ରଧାନ,ଜ୍ୟୋତି ରଞ୍ଜନ କର, ନରେଶ ପାଣିଗ୍ରାହୀ, ଅଶୋକ ସାହୁ, ସୁଶୀଲ ରଣା, ଭଗବାନ ପଣ୍ଡା, ଉମେଶ ସ୍ୱାଇଁ,ରବୀନ୍ଦ୍ର କୁମାର ସାହୁ,ସୁରେଶ ବେହେରା, ଗତିକୃଷ୍ଣ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ସରକାରଙ୍କ ଅପରିଣାମଦର୍ଶୀ ପଦକ୍ଷେପକୁ ଦୃଢ଼ ବିରୋଧ କରିଥିଲେ। ଅପରପକ୍ଷରେ ଏହାକୁ ବିରୋଧ କରି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଅଧିକ ପଢନ୍ତୁ

kc ads