ଅନଲାଇନ ଉପସ୍ଥାନ ପ୍ରସଙ୍ଗ: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଘେରିବାକୁ ଶିକ୍ଷକ ସଂଘର ଚେତାବନୀ

ନୟାଗଡ଼,(ଓଡ଼ିଶା ଦର୍ପଣ): ଆବଶ୍ୟକ ତଥା ଆନୁସଙ୍ଗିକ ଉପକରଣ ଯୋଗାଇ ନଦେଇ ଏବଂ ଦରମା ବନ୍ଦର ଧମକ ଦେଇ ଜୋର ଜବରଦସ୍ତ ଅନଲାଇନ ଉପସ୍ଥାନକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ହେଉଥିବା ଉଦ୍ୟମକୁ ନୟାଗଡ଼ ଜିଲ୍ଲା ମିଳିତ ଶିକ୍ଷକ ସଂଘ ଗୁରୁତର ସହ ନେଇଛି। ଏହି ପ୍ରସଙ୍ଗକୁ ନେଇ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଘେରିବାକୁ ଶିକ୍ଷକ ସଂଘ ପକ୍ଷରୁ ଦୃଢ଼ ଚେତାବନୀ ଦିଆଯାଇଛି। ରବିବାର ଦିନ ସ୍ଥାନୀୟ ରାଜବଗିଚା ସ୍ଥିତ ପ୍ରାଥମିକ ଶିକ୍ଷକ ଭବନରେ ଜିଲ୍ଲା ମିଳିତ ଶିକ୍ଷକ ସଂଘର ଏକ ଜରୁରୀ ବୈଠକ ମିଳିତ ଶିକ୍ଷକ ସଂଘ ଆବାହକ ମାଣିକେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦରମା ବନ୍ଦ ଧମକକୁ ଦୃଢ଼ ଭାବେ ନିନ୍ଦା କରାଯାଇଥିବା ବେଳେ ଆଗାମୀ ଦିନରେ ଶିକ୍ଷକ ଆନ୍ଦୋଳନ ବିସ୍ଫୋରକ ପରିସ୍ଥିତି ନେବ ବୋଲି ସୂଚନା ମିଳିଛି। ନିଜ ବ୍ୟକ୍ତିଗତ ମୋବାଇଲ ଫୋନ ଏବଂ ବ୍ୟକ୍ତିଗତ ମୋବାଇଲ ଡାଟାକୁ କଣ ପାଇଁ ସରକାରୀ କାର୍ଯ୍ୟରେ ବ୍ୟବହାର କରିବୁ ବୋଲି ବୈଠକରେ ଉପସ୍ଥିତ ଶିକ୍ଷକ ନେତା ମାନେ ପ୍ରଶ୍ନ କରିବା ସହିତ ଯଦି କୌଣସି ଶିକ୍ଷକ କିମ୍ବା ସିଆରସିସିଙ୍କ ଦରମା ବନ୍ଦ କରାଯାଏ ତେବେ ଶିକ୍ଷକ ସଂଘ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଘେରିବାକୁ ଦୃଢ଼ ଚେତାବନୀ ଦେଇଛି। ଅନ୍ୟ ପକ୍ଷରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ନିର୍ଦ୍ଦେଶ ଭାରତୀୟ ସମ୍ବିଧାନ ଧାରା-୨୧ ଅନ୍ତର୍ଗତ ବ୍ୟକ୍ତିଗତ ଗୋପନୀୟତା ଅଧିକାର ତଥା ନିକଟରେ ପାର୍ଲିଆମେଣ୍ଟରେ ଗୃହୀତ ଡିପିଡିପି ଆକ୍ଟ(୨୦୨୩) ବା ସମଗ୍ର ଡାଟା ସୁରକ୍ଷା ଆଇନ-୨୦୨୩ ର ଖୋଲା ଉଲଂଘନ ବୋଲି ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି। ଆବଶ୍ୟକ ପଡ଼ିଲେ ଏହାକୁ ନେଇ ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରାଯିବ ବୋଲି ମିଳିତ ଶିକ୍ଷକ ସଂଘ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ଅନ୍ୟ ପକ୍ଷରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଶିକ୍ଷକ ମାନଙ୍କ ପେନସନ, ଜିପିଏଫ, ଇନକ୍ରିମେଣ୍ଟ, ପ୍ରମୋସନ, ସର୍ଭିସ ବୁକ ଅପଡେଟ ଆଦି କାର୍ଯ୍ୟ ଠିକ ସମୟରେ କରାଯାଉ ନଥିବା ଶିକ୍ଷକ ନେତା ମାନେ ଅଭିଯୋଗ କରିଛନ୍ତି। ଏହି ମିଳିତ ବୈଠକରେ ରାଜ୍ୟ ମାଧ୍ୟମିକ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ, ଶିକ୍ଷକ ନେତା ଶେଖ ଅବଦୁଲ ଖାଲିକ, ଭକ୍ତବଲ୍ଲଭ ବାଟକୃଷ୍ଣ ମିଶ୍ର, ବିପିନ ବିହାରୀ ଦାସ, ଅଭିମନ୍ୟୁ ମହାନ୍ତି,ପ୍ରସନ୍ନ କୁମାର ଲେଙ୍କା, ବାମନ ବାରିକି, ପଞ୍ଚାନନ ମହାପାତ୍ର, ଦୀନବନ୍ଧୁ ସାହୁ,ଶ୍ରୀଧର ପରିଡ଼ା, ସୁରେଶ ସେଠି, ଉମେଶ ସ୍ୱାଇଁ, ଗତିକୃଷ୍ଣ ପ୍ରଧାନ,କେଳୁ ଚରଣ ସ୍ୱାଇଁ,ସୁରେଶ କୁମାର ମହାପାତ୍ର, ସୁଶୀଲ ରଣା, ଲକ୍ଷ୍ମୀଧର ଖୁଣ୍ଟିଆ,କାଳନ୍ଦୀ ଚରଣ ସାହୁ, ମନୋରଞ୍ଜନ ବରାଡ, ଶୁକଦେବ ରାଉତ ଅରବିନ୍ଦ ମହାଳିକପ୍ରମୁଖ ଉପସ୍ଥିତ ଥିଲେ।

ଅଧିକ ପଢନ୍ତୁ

Odisha Darpan Digital