ଅନ୍ଧାର କିଟି କିଟି ଷ୍ଟେସନ ରାସ୍ତା, ଅସୁରକ୍ଷିତ ରେଳଯାତ୍ରୀ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼-ଖଣ୍ଡପଡ଼ା ରାଜ୍ୟ ରାଜପଥର ରେଳ ଓଭରବ୍ରିଜ ଠାରୁ ନୟାଗଡ଼ ଟାଉନ ଷ୍ଟେସନକୁ ଯାଇଥିବା ଏକ କିମି ଲମ୍ବ ମୁଖ୍ୟରାସ୍ତା ରାତ୍ର ସମୟରେ ଅନ୍ଧାର କିଟି କିଟି ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ଅନ୍ଧାରରେ ଚାଲି ଚାଲି ଯାଉଥିବା ଯାତ୍ରୀମାନେ ଖାଲ ଖମାରେ ଝୁଣ୍ଟି ହୋଇ ଦୁର୍ଘଟଣା ଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି। ଅନ୍ୟ ପକ୍ଷରେ ଅନ୍ଧାରର ସୁଯୋଗ ନେଇ ବିଭିନ୍ନ ଅସାମାଜିକ ବ୍ୟକ୍ତିମାନେ ଏହି ରାସ୍ତା କଡରେ ବ୍ରାଉନ ସୁଗାର,ଗଞ୍ଜେଇ, ମଦ୍ୟପାନ ଆଦି କରୁଥିବା ବେଳେ ନିରୀହ ଯାତ୍ରୀ, ବୃଦ୍ଧ ତଥା ମହିଳାମାନେ ଏହି ରାସ୍ତାରେ ଯିବାପାଇଁ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ସେହିପରି ରାସ୍ତାର ଉଭୟ ପାର୍ଶ୍ୱ ଅନାବନା ତଥା କଣ୍ଟାଗଛରେ ପରିପୂର୍ଣ ହୋଇ ଜଙ୍ଗଲ ସଦୃଶ ହୋଇଥିବାରୁ ଅନ୍ଧାର ସମୟରେ ସାପ, ବିଛା ଆଦି ସରୀସୃପ ଜାତୀୟ ପ୍ରାଣୀ ମାନଙ୍କ ପାଦୁର୍ଭାବ ମଧ୍ୟ ଦେଖା ଦେଉଛି। ତେବେ ଏହି ରାସ୍ତାର ଆଲୋକୀକରଣ ପାଇଁ ରେଳ ବିଭାଗ ପକ୍ଷରୁ  ଲାଗିଥିବା ବିଦ୍ୟୁତ ଖୁଣ୍ଟ ଗୁଡ଼ିକର କୌଣସି ଗୋଟିଏ ହେଲେ ବି ଲାଇଟ ଜଳୁନାହିଁ। ଏ ନେଇ ରେଳ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯାଉ ଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ଅନ୍ୟ ପକ୍ଷରେ ବିଭାଗ ପକ୍ଷରୁ ଲାଗୁଥିବା ବିଦ୍ୟୁତ ସରଞ୍ଜାମ ଗୁଡ଼ିକ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ଏଗୁଡ଼ିକ ଚାରି ଛଅ ମାସ ପରେ ଖରାପ ହୋଇଯାଉଥିବା ଅଭିଯୋଗ ହେଉଛି।   ଏ ନେଇ ଷ୍ଟେସନ ମ୍ୟାନେଜରଙ୍କୁ ଅଭିଯୋଗ କରିବା ପରେ ସେ ରେଳ ବିଭାଗ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଥିବା ସୂଚନା ଦେଇଛନ୍ତି।   ତେବେ ରେଳ ବିଭାଗ ଏହି ରାସ୍ତାରେ ଆଲୋକ ବ୍ୟବସ୍ଥା କରିବାରେ କାଳ କ୍ଷେପଣ ନୀତି ଅବଲମ୍ବନ କରୁଥିବାରୁ ରେଳଯାତ୍ରୀ ମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ତୁରନ୍ତ ଆଲୋକ ବ୍ୟବସ୍ଥା କରିବା ପାଇଁ ନୟାଗଡ଼ ନାଗରିକ ମଞ୍ଚ ଦାବି କରିଛି।

ଅଧିକ ପଢନ୍ତୁ

Odisha Darpan Digital