ଅନ୍ୟ ଜାତିରେ ପ୍ରେମ ବିବାହ କଲା ଝିଅ; ଶୁଦ୍ଧିକ୍ରିୟା କଲେ ପରିବାର ବର୍ଗ

ଗଂଜାମ ଜିଲ୍ଲାର କବିସୂର୍ଯ୍ୟନଗର ବଳିଆପଲିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। କୋକେଇରେ ଏକ ପ୍ରତୀକାତ୍ମକ ଶବ ରଖି ପରିବାର ଓ ପରିଜନ ଲୋକେ ଯେବେ ଏଭଳି ଏକ କାମ କରିଥିଲେ ରାସ୍ତାରେ ଦେଖୁଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ଏହି ଘଟଣା ‌ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏପରିକି ଗାଁ ଦାଣ୍ଡରେ ଅନୁରୂପ ଭାବରେ କୋକେଇ କାନ୍ଧରେ ବୋହି ନେଇଥିଲେ ଜନ୍ମକଲା ବାପା । ଶେଷରେ ଗାଁ ଶ୍ମଶାନରେ ତାହାକୁ ଦାହ ମଧ୍ୟ କରାଯାଇଥିଲା । ହେଲେ ଏହା ସତସତିକା ମୃତଦେହକୁ ନେଇ ଅନ୍ତିମ ସତ୍କାର କରାଯାଇ ନଥିଲା କି କୌଣସି ଚଳଚିତ୍ର ପାଇଁ ସୁଟିଂ ହୋଇନଥିଲା । ବରଂ ନିଜର ଜନ୍ମକଲା ଝିଅ ଅନ୍ୟ ଜାତିରେ ପ୍ରେମ ବିବାହ କରିଥିବାରୁ ପରିବାର ବର୍ଗ କରିଥିଲେ ଏଭଳି ପ୍ରତୀକାତ୍ମକ ଶବସତ୍କାର ଏବଂ ସାମିଲ ହୋଇଥିଲେ ଶୁଦ୍ଧିକାର୍ଯ୍ୟରେ । ଶେଷରେ କନ୍ୟାର ପରିବାର ବର୍ଗ ଝିଅ ବଞ୍ଚି ଥାଉ ଥାଉ ଗାଁ ଦାଣ୍ଡରେ ଶୁଦ୍ଧି କ୍ରିୟା କରିବାକୁ ନିଷ୍ପତ୍ତି ନେଇଥିଲେ ।ଏହି ଘଟଣାକୁ ନେଇ ବାପା ନିରଞ୍ଜନ ଗୌଡଙ୍କ କହିବା କଥା, “ମୋର ପରିବାରରେ ଚାରି ଝିଅ ଏବଂ ଗୋଟିଏ ପୁଅ । ହେଲେ ଅନେକ ଦୁଃଖ କଷ୍ଟରେ ପିଲା ମାନଙ୍କୁ ପାଠ ପଢାଇ ଥିଲି । ହେଲେ ତୃତୀୟ କନ୍ୟା ପରିବାରର ଅନିଚ୍ଛା ସତ୍ତ୍ୱେ ବିବାହ କରି ଆମ ଜାତି ଠାରୁ ନିଚ୍ଚ ଜାତିକୁ ବିବାହ କରି ଚାଲିଯାଇଥିଲା । ଏହାକୁ କୂଳ ବନ୍ଧୁ ପରିବାର ବର୍ଗ ଗ୍ରହଣ କରିପାରିଲେ ନାହିଁ । ଯାହାକୁ ନେଇ ସେ ବଞ୍ଚି ଥାଉ ଥାଉ ପ୍ରତିକାତ୍ମକ ଶବ ଦାହ ଏବଂ ଶୁଦ୍ଧିକ୍ରିୟା ଭଳି କାର୍ଯ୍ୟ କରାଯାଇଛି । ଝିଅର ଜୀବିତରେ ହିଁ ଦଶାହକାର୍ଯ୍ୟ କରି ଗାଁର କୂଳ ଲୋକଙ୍କୁ ଦ୍ୱାଦଶ ଭୋଜି ଦେଇ ଶୁଦ୍ଧି କରିବାକୁ ନିଷ୍ପତ୍ତି ହୋଇଥିଲା । ମୁଁ ବର୍ତ୍ତମାନ ଝିଅକୁ ସବୁଦିନ ପାଇଁ ଭୁଲି ଯାଇଛି ।”ସେପଟେ ନିରଞ୍ଜନଙ୍କ ପତ୍ନୀ ରୁନୁ ଗୌଡଙ୍କ କହିବା କଥା, “ନିଜର ଜନ୍ମ କଲା ଝିଅକୁ ଛୋଟରୁ ବଡ କରିଥିଲି ହେଲେ ସେ ଏପରି ନିଷ୍ପତ୍ତି ନେବା ଆଗରୁ ଆମ କଥା ଭାବିନଥିବା ଯୋଗୁଁ ଆମେ ଶେଷରେ ଏପରି କରିବାକୁ ବାଧ୍ୟ ହୋଇଥିଲୁ ।”ସୂଚନାନୁସାରେ, ଗୋଟିଏ ଗାଁରେ ରହୁଥିବା ଦୁଇ ଯୁବକଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା। ଏହା ଜାଣିବା ପରେ ଝିଅର ପରିବାର ଲୋକେ ଥାନାରେ ଏତଲା ଦେବା ପରେ ତାଙ୍କ ପ୍ରେମିକକୁ ଗିରଫ କରାଯାଇଥିଲା। ଜାମିନରେ ସେ ମୁକୁଳିଥିଲେ। ପରିବାରର ବାରଣ ସତ୍ତ୍ବେ ପୁଅଝିଅ ‌‌ରେଜିଷ୍ଟ୍ରି ବିବାହ କରିଥିଲେ। ଏହାପରେ ଝିଅର ବାପା ଉପରେ କୁଳସମାଜର ନିର୍ଯାତନା ବଢ଼ିବାକୁ ଲାଗିଥିଲା। ପ୍ରଥମେ ତାଙ୍କୁ ପୁରୀ ଯାଇ ଲଣ୍ଡା ହୋଇ ସଂସ୍କାର ହେବାକୁ ନିର୍ଦ୍ଦେଶ ଦିଆଗଲା। ତିନିଦିନ ତଳେ ଏକ କଦଳୀଗଛକୁ ନେଇ ଝିଅର ପ୍ରତୀକାତ୍ମକ ସଂସ୍କାର କରାଯାଇଥିଲା। ଏହାସହ ୧୨ ଦିନ ଶୁଦ୍ଧିକ୍ରିୟା ପାଳିବାକୁ ନିର୍ଦ୍ଦେଶ ଜାରି ହେବା ସହ ୫୦ ହଜାର ଟଙ୍କା ଜରିମାନ ଦଣ୍ଡରେ ଦଣ୍ଡିତ କରାଗଲା। ସଭ୍ୟସମାଜରେ ଏଭଳି ପରମ୍ପରା ସମସ୍ତଙ୍କୁ ବ୍ୟଥିତ କରିଛି।

ଅଧିକ ପଢନ୍ତୁ