ଏଣିକି ରାଜ୍ୟର ସବୁ ସରକାରୀ ଅଫିସରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । କର୍ମଚାରୀଙ୍କ ସମୟାନୁବର୍ତ୍ତିତା ଓ ଅଫିସରେ ଠିକ ସମୟରେ ଉପସ୍ଥାନକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ଯେଉଁ ସବୁ ସରକାରୀ ଅଫିସରେ ବାୟୋମେଟ୍ରିକ ଆଟେଣ୍ଡାନସ ସିଷ୍ଟମ ନାହିଁ ସେଠାରେ ତୁରନ୍ତ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା କରିବାକୁ କୁହାଯାଇଛି । ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ସମୟାନୁବର୍ତ୍ତୀତାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଯାହା ସୁଶାସନର ପ୍ରାଥମିକ ଆବଶ୍ୟକତା । କାର୍ଯ୍ୟାଳୟରେ ସମୟାନୁବର୍ତ୍ତୀ ଉପସ୍ଥିତି ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ଗୋଟିଏ ।କନିଷ୍ଠ କର୍ମଚାରୀଙ୍କଠାରୁ ଆରମ୍ଭ କରି ସର୍ବୋଚ୍ଚ ପଦବୀରେ ଥିବା ଅଧିକାରୀଙ୍କ ପାଇଁ ଏହା ଲାଗୁ ହେବ । ଅଫିସକୁ କର୍ମଚାରୀମାନେ ବିଳମ୍ବରେ ଆସୁଥିବା ଅଭିଯୋଗ ହେଉଥିବା ବେଳେ ଏଥିରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ସବୁ ଅଫିସରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ।
ଏସଂକ୍ରାନ୍ତ ଡାଟାକୁ ଏନଆଇସି ଦ୍ବାରା ବିକଶିତ ବାୟୋମେଟ୍ରିକ ଆଟେଣ୍ଡାନସ ସିଷ୍ଟମ ପୋର୍ଟାଲକୁ ଲିଙ୍କ କରିବାକୁ କୁହାଯାଇଛି । ସବୁ ସରକାରୀ କର୍ମଚାରୀ ଅଫିସରେ ପହଞ୍ଚିବା ଓ ଅଫିସ ଛାଡ଼ିବା ବେଳେ ବାୟୋମେଟ୍ରିକ ଆଟେଣ୍ଡାନ୍ସ ବ୍ୟବସ୍ଥାରେ ଉପସ୍ଥାନ ଦେବେ । ଅଫିସ ଛାଡ଼ିବା ସମୟ ରେକର୍ଡିଂ ହୋଇନଥିଲେ ଏହାକୁ ସଂପୃକ୍ତ କର୍ମଚାରୀଙ୍କ ସେହିଦିନ ଅନୁପସ୍ଥିତ ବୋଲି ଧରାଯିବ । କର୍ମଚାରୀମାନେ ଅଫିସରେ ଅନ୍ୟୁନ ସାଢ଼େ ସାତ ଘଣ୍ଟା ରହିବାକୁ ସରକାରୀ ନିର୍ଦ୍ଦେଶ ରହିଛି । ଗୋଟିଏ ମାସରେ ତିନି ଦିନ ସର୍ବାଧିକ ୩୦ ମିନଟ ବିଳମ୍ବକୁ ଛାଡ଼ କରାଯାଇପାରିବ । ତେବେ ଏହାଠାରୁ ଅଧିକ ଦିନ କିମ୍ବା ବିଳମ୍ବରେ ଉପସ୍ଥାନ ପାଇଁ କର୍ମଚାରୀଙ୍କ ସିଏଲ କଟିବ । ତେବେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ, ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିୟୋଜିତ କର୍ମଚାରୀମାନଙ୍କୁ ଏହି ନିର୍ଦ୍ଦେଶରୁ ମୁକ୍ତ ରହିବେ ।