ବଲିଉଡ ହରାଇଲା ଓଡ଼ିଆ ସାଉଣ୍ଡ ଇଞ୍ଜିନିୟର । ଭେଟେରାନ୍ ସାଉଣ୍ଡ ଇଞ୍ଜିନିୟର ସମୀର କୁମାର ପାତ୍ରଙ୍କ ପରଲୋକ । ୫୦ ବର୍ଷ ବୟସରେ ସମୀରଙ୍କ ଦେହାନ୍ତ । ୭୫ରୁ ଅଧିକ ସିନେମାରେ କାମ କରି ନିଜ ଯାଦୁଗରୀ କାମର ଛାପ ଛାଡ଼ି ଯାଇଥିବା ସମୀର ପାତ୍ରଙ୍କ ଅକାଳ ବିୟୋଗ ସିନେ ଜଗତରେ ଏକ ଅପୂରଣୀୟ କ୍ଷତ ସୃଷ୍ଟି କରିଥିବା ବେଳେ ତାଙ୍କ ଦେହାନ୍ତ ଖବର ଶୋକର ଛାୟା ଖେଳାଇ ଦେଇଛି ।ଓଡ଼ିଆ ପେଶାଦାରଙ୍କ ମଧ୍ୟରୁ ସେ ଅନ୍ୟତମ ଥିଲେ । ଯଦିଓ ସେ ପ୍ରଚାର ପ୍ରସାରଠାରୁ ଦୂରରେ ରହୁଥିଲେ, ତଥାପି ମୁଖ୍ୟଧାରା ଏବଂ ସ୍ୱାଧୀନ ଚଳଚ୍ଚିତ୍ରର କାହାଣୀ କହିବା ଶୈଳୀରେ ତାଙ୍କର ଅବଦାନ ଅତୁଳନୀୟ ଥିଲା । ୧୯୭୬ ମସିହା ଡିସେମ୍ବର ୮ ତାରିଖରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଜନ୍ମଗ୍ରହଣ କରିଥିଲେ ସମୀର । ସେ ସ୍ଥାନୀୟ ଅଞ୍ଚଳରେ ନିଜର ବିଦ୍ୟାଳୟ ଶିକ୍ଷା ସମାପ୍ତ କରିବା ପରେ ଭଞ୍ଜନଗର ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ । ବୈଷୟିକ ଜ୍ଞାନକୌଶଳ ଏବଂ ସିନେମା ପ୍ରତି ଥିବା ଆଗ୍ରହ ପାଇଁ କଟକସ୍ଥିତ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଓଡ଼ିଶାରୁ (BPFTIO) ୨୦୦୦ ବ୍ୟାଚରେ ସାଉଣ୍ଡ ଆଣ୍ଡ ଟେଲିଭିଜନ ଇଞ୍ଜିନିୟରିଂରେ ଡିପ୍ଲୋମା ପାସ୍ କରିଥିଲେ । ଶିକ୍ଷା ସମାପ୍ତ ପରେ ସେ ମୁମ୍ବାଇ ଚାଲିଯାଇଥିଲେ ଏବଂ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ୨୦୦୦ ରୁ ୨୦୨୬ ମସିହା ମଧ୍ୟରେ ସେ ୭୫ ରୁ ଅଧିକ ଚଳଚ୍ଚିତ୍ର, ଟେଲିଭିଜନ ସିରିଜ୍ ଏବଂ ଡିଜିଟାଲ୍ ପ୍ରୋଜେକ୍ଟରେ କାର୍ଯ୍ୟ କରିଥିଲେ ।
