ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ତେଲେଙ୍ଗାନା ଜାଗୃତି ଅଧ୍ୟକ୍ଷ କେ କବିତାଙ୍କ ସମେତ ଦିଲ୍ଲୀ ଅବକାରୀ ନୀତି ମାମଲାରେ ସମସ୍ତ ୨୩ ଅଭିଯୁକ୍ତଙ୍କୁ ମୁକ୍ତ କରିଛି।ସ୍ବତନ୍ତ୍ର ବିଚାରପତି ଜିତେନ୍ଦ୍ର ସିଂହ ଏହି ରାୟ ଦେଇ ସିବିଆକୁ ତୀବ୍ର ଭର୍ତ୍ସନା କରି ଏହା ଆଣିଥିବା ଅଭିଯୋଗ ବିରୋଧରେ ବିଶ୍ବସନୀୟ ପ୍ରମାଣ ଉପସ୍ଥାପନ କରିପାରନାହିଁ ବୋଲି କହିଛନ୍ତି। ସିବିଆଇ ଦ୍ବାରା ଦାଖଲ କରାଯାଇଥିବା ଅଭିଯୋଗଫର୍ଦ୍ଦକୁ ଗ୍ରହଣ କରିବାକୁ କୋର୍ଟ ମନା କରିବା ସହିତ ମାମଲା ପରିଚାଳନା ପାଇଁ ସିବିଆଇ ପାଖରେ ଯଥେଷ୍ଟ ପ୍ରମାଣ ନାହିଁ ବୋଲି କହିଥିଲେ । ମାମଲାର ଶୁଣାଣିବେଳେ କେଜ୍ରିୱାଲ ଓ ସିସୋଦିଆ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ ।ଦିଲ୍ଲୀ ଅବକାରୀ ନୀତି ମାମଲା ଦିଲ୍ଲୀ ସରକାରଙ୍କ ୨୦୨୧ -୨୨ ଉତ୍ପାଦ (ମଦ) ନୀତି ସହିତ ଜଡିତ ଦୁର୍ନୀତିର ଅଭିଯୋଗରୁ ଆରମ୍ଭ ହୋଇଥିଲା, ଯାହାକୁ ପରେ ବିବାଦ ମଧ୍ୟରେ ବାତିଲ କରିଦିଆଯାଇଥିଲା। ସିବିଆଇ ମାମଲା କରିଥିଲା ଯେ, ଆପ ସରକାର ଦ୍ୱାରା ପ୍ରଚଳିତ ନୀତି, ହ୍ରାସିତ ଫି ଏବଂ ଏକ ସ୍ଥିର ମାର୍ଜିନ୍ ମାଧ୍ୟମରେ କିଛି ନିର୍ଦ୍ଦିଷ୍ଟ ଘରୋଇ ସଂସ୍ଥାକୁ ସମର୍ଥନ କରିଥିଲା, ଯାହା ଅଭିଯୋଗ ଅନୁଯାୟୀ କିକ୍ ବ୍ୟାକ୍ ସୃଷ୍ଟି କରିଥିଲା। ୨୦ ଜୁଲାଇ, ୨୦୨୨ରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭିକେ ସାକ୍ସେନାଙ୍କ ଅଭିଯୋଗ ଉପରେ ସିବିଆଇ ମାମଲା ପଞ୍ଜୀକୃତ ହୋଇଥିଲା। ନୀତି ଗଠନ ପର୍ଯ୍ୟାୟରେ ମନୀଷ ସିସୋଦିଆ ଏବଂ ଅରବିନ୍ଦ କେଜ୍ରିୱାଲ ସମେତ ଆପ ନେତା ଏବଂ ଅନ୍ୟାନ୍ୟ ବ୍ୟକ୍ତି ଓ ସଂସ୍ଥା ଦ୍ୱାରା ଏକ ଅପରାଧିକ ଷଡ଼ଯନ୍ତ୍ର ରଚନା କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। କୋର୍ଟରୁ ଦୋଷମୁକ୍ତ ହେବା ପରେ କେଜ୍ରିୱାଲ ନିଜ ଭାବାବେଗ ସମ୍ଭାଳି ନ ପାରି କାନ୍ଦି ପକାଇଥିଲେ। ଏହି ମାମଲାକୁ ଦେଶର ସବୁଠୁ ବଡ଼ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହି ବିଜେପିକୁ ତୀବ୍ର ସମାଲୋଚନା କରିଥିଲେ। ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତାବେଳେ କେଜ୍ରିୱାଲ କହିଥିଲେ, ଦିଲ୍ଲୀରେ ଆମ ଆଦମୀ ପାର୍ଟିକୁ କ୍ଷମତାଚ୍ୟୁତ କରିବାକୁ ବିଜେପି ଏହି ଷଡ଼ଯନ୍ତ୍ର ରଚିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ସେ ତୀବ୍ର ସମାଲୋଚନା କରିଥିଲେ ।
