ଅଭିନେତ୍ରୀଙ୍କଠାରୁ ୮.୨୫ ଲକ୍ଷ ଟଙ୍କା ଠକି ନେଇ ଯାତ୍ରା ପାର୍ଟି ମାଲିକ ଗିରଫ

ଅଭିନେତ୍ରୀ ମନୋରମା ଦାଶଙ୍କଠାରୁ ୮ ଲକ୍ଷରୁ ଅଧିକ ଟଙ୍କା ନେଇ ଆଉ ନ ଫେରାଇବା ମାମଲାରେ ଗିରଫ ହୋଇଛନ୍ତି ‘ଓମ୍ ଶିବଶକ୍ତି’ ଯାତ୍ରାପାର୍ଟିର ମାଲିକ ଅମରେଶ ଚନ୍ଦ୍ର ସାହୁ। ଭୁବନେଶ୍ୱରର ଲିଙ୍ଗରାଜ ଥାନା ପୁଲିସ ତାଙ୍କୁ ଗିରଫ କରିଛି।ଅଭିଯୋଗ ଅନୁସାରେ, ମନୋରମାଙ୍କୁ ମାସିକ ୮୦ ହଜାର ଟଙ୍କା ଦେବାକୁ ଯାତ୍ରା ପାର୍ଟି ମାଲିକ ଅମରେଶ କହିଥିଲେ। ତେଣୁ ସେ ଅନ୍ୟ ଯାତ୍ରାପାର୍ଟି ଛାଡ଼ି ଅମରେଶଙ୍କ ଯାତ୍ରା ପାର୍ଟିରେ କାମ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଅମରେଶ ମାସିକ ୫୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଏପରିକି ମନୋରମା ଅଭିନୟ କରିବାର ଏକ ମାସ ପରେ ଅମରେଶ ତାଙ୍କୁ ତାଙ୍କ ପାର୍ଟିର ଅଂଶୀଦାର ହେବାକୁ ଆଶ୍ୱାସନା ଦେବା ସହ ବୁଝାଶୁଝା କରିବାକୁ କହିଥିଲେ। ଯାହା ଲାଭ ହେବ ୫୦% ପରସ୍ପର ମଧ୍ୟରେ ବାଣ୍ଟି ନେବାକୁ ପ୍ରତିଶ୍ରୁତି ଦେଇଥିଲେ।

ଅଭିନେତ୍ରୀ ଜଣକ ତାଙ୍କ ପ୍ରସ୍ତାବରେ ରାଜି ହୋଇ ୫ ମାସ କାର୍ଯ୍ୟ କରିଥିଲେ। ଏହି ସମୟ ମଧ୍ୟରେ ଅମରେଶଙ୍କ କଥା ଅନୁସାରେ, ମନୋରମା ନିଜ ହାତରୁ ମଧ୍ୟ ଅନ୍ୟ କର୍ମଚାରୀଙ୍କୁ ପାରିଶ୍ରମିକ ପ୍ରଦାନ କରିଥିଲେ। ଏହାସହ ଅମରେଶ ମଧ୍ୟ ନିଜର ଆବଶ୍ୟକତା ପାଇଁ ତାଙ୍କଠାରୁ ଟଙ୍କା ଉଧାର ନେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ପାରିଶ୍ରମିକ, ଲାଭ ଏବଂ ଉଧାର ଟଙ୍କା ବାବଦକୁ ମୋଟ ୮.୨୫ ଲକ୍ଷ ଟଙ୍କା ଫେରାଇ ନ ଥିଲେ। ତା’ପରେ ଯେତେବେଳେ ସେ ଅମରେଶଙ୍କୁ ଟଙ୍କା ଫେରାଇବା ପାଇଁ ଯୋଗାଯୋଗ କଲେ, ସେ ତାଙ୍କ କଥା ଶୁଣି ନଥିଲେ। ମନୋରମା ବାରମ୍ବାର ଯୋଗାଯୋଗ କରି ଟଙ୍କା ମାଗିବାରୁ ଅମରେଶ ତାଙ୍କୁ ଗାଳିଗୁଲଜ କରିବା ସହିତ ମାରି ଦେବାକୁ ବି ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ତାଙ୍କ ଅଭିଯୋଗ ପାଇବା ପରେ ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ଥାନା ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଅମରେଶ ଚନ୍ଦ୍ର ସାହୁଙ୍କୁ ଗିରଫ କରିଛି।

ଅଧିକ ପଢନ୍ତୁ

Odisha Darpan Digital