ଅମ୍ବାଦଳା ସରକାରୀ ବିଦ୍ୟାଳୟରେ ହିଂସା, ଦୁଇ ଛାତ୍ର ଗୁରୁତର ଆହତ। ବିଦ୍ୟାଳୟ ପରିଚାଳନା ଅବହେଳାକୁ ଦାୟି କରିଲେ ଅବିଭାବକ

ରାୟଗଡ଼ା ତା ୦୫/୦୪ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ସ୍ଥିତ ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହିଂସାର ଘଟଣା ସାମ୍ନାକୁ ଆସିଛି। ‌ହଷ୍ଟେଲର କିଛି ଛାତ୍ର ଗତକାଲି ରାତ୍ର ସମୟରେ ହଷ୍ଟେଲରେ ଶୋଇଥିବା ବେଳେ ଦୁଇ/ତିନି ଜଣ ଛାତ୍ରଙ୍କୁ ନିଦରୁ ଉଠାଇ କିଛି ସିନିୟର ଛାତ୍ର ମଶାରି ବନ୍ଧା ହେଉଥିବା ଲୁହା ଛଡ଼ ଓ ବାଡ଼ିରେ ନିର୍ଦ୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଦୁଇ ଛାତ୍ର ଗୁରୁତର ଭାବେ ଆହତ ହୋଇ ଲହୁଲୁହାଣ ଅବସ୍ଥାରେ ପଡ଼ିଥିଲେ। ଆହତ ଛାତ୍ରମାନଙ୍କ ମଧ୍ୟରୁ ଜଣେ ଅଷ୍ଟମ ଶ୍ରେଣୀର ଓ ଅନ୍ୟଜଣେ ଦଶମ ଶ୍ରେଣୀର ବୋଲି ଜଣାପଡ଼ିଛି। ଘଟଣା ପରେ ଆକ୍ରମଣକାରୀ ସିନିୟର ଛାତ୍ରମାନେ ଏହି ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଘଟଣା ସଂପର୍କରେ ଆହତ ଛାତ୍ର ମାନେ ନିଜ ଅବିଭାବକଙ୍କୁ ଜଣାଇବା ପରେ ଅବିଭାବକମାନେ ଅମ୍ବାଦଳା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗ ପରେ ଅମ୍ବାଦଳା ପୁଲିସ ଗୁରୁତର ଛାତ୍ର ଦୁଇଜଣଙ୍କୁ ଅମ୍ବାଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ପାଇଁ ଆଣିଥିଲେ । ଘଟଣା ପରେ ହଷ୍ଟେଲ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଛାତ୍ର ଓ ଅଭିଭାବକମାନେ ବିଦ୍ୟାଳୟ ପରିଚାଳନା ଉପରେ ଗଭୀର ଅଭିଯୋଗ ଆଣିଥିବା ବେଳେ, ପ୍ରଧାନ ଶିକ୍ଷକଙ୍କ ଅବହେଳା ଖାମଖିଆଲ ନୀତି ଯୋଗୁଁ ଏଭଳି ଘଟଣା ଘଟିଥିବା ପୁଲିସକୁ ଲିଖିତ ଭାବ‌ରେ ଅଭିଯୋଗ କରିଛନ୍ତି । ଏନେଇ ଆହାତ ଛାତ୍ରଙ୍କ ମାଁ ସଂଜିତା ହିକକା ଓ ସଂଯୁକ୍ତା ଉର୍ଲାକା ଅଭିଯୋଗ କରି କହିଛନ୍ତି ବିଦ୍ୟାଳୟରେ ବାରମ୍ବାର ଏପରି ଘଟଣା ଘଟୁଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଗୁରୁତର ପ୍ରଶ୍ନ ଉଠିଛି।
ଏପର୍ଯ୍ୟନ୍ତ ଘଟଣା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିପାରିନାହିଁ। କିଛି ଦିନ ପୂର୍ବରୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ପୁଲିସ ବ୍ଲକ ମଂଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କୁ ଅବଗତ କରିବା ସହ କେଉଁ ପରିସ୍ଥିତି ଏଭଳି ଘଟଣା ଘଟିଲା ତାହା ତଦନ୍ତ କରାଯିବ ବୋଲି ଆମ୍ବଦଳା ଆଇଆଇସି ସୂର୍ଯ୍ୟଚନ୍ଦ୍ର ପାଢ଼ୀ ସୂଚନା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ପ୍ରାୟ ୧ ବର୍ଷ ହେଲା ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ଅମ୍ବାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ବିଭିନ୍ନ ଅନିୟମିତତା ଏବଂ ଅଭିଯୋଗ ହେଉଛି । କିନ୍ତୁ ମଙ୍ଗଳ ବିଭାଗ କିମ୍ବା ଜିଲ୍ଲା ମଙ୍ଗଳ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତେ ପ୍ରଧାନ ଶିକ୍ଷକଙ୍କୁ ସୁରକ୍ଷା ପ୍ରଦାନରେ ଲାଗିପଡିଛି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି ।

ଅଧିକ ପଢନ୍ତୁ