ଅଯୋଧ୍ୟାକୁ ଯିବ ରାମଙ୍କ ସ୍ବର୍ଣ୍ଣଖଚିତ ଧନୁତୀର ଓ ମୟୂରକଣ୍ଠିଆ ଧନୁତୀର

ଆସନ୍ତା ୨୨ ତାରିଖରେ ଅଯୋଦ୍ଧାରେ ରାମ ମନ୍ଦିର ସହ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ।ଏହି ପରିପ୍ରେକ୍ଷୀରେ ଅଯୋଧ୍ୟାସ୍ଥିତ ଅମାଭା ରାମ ମନ୍ଦିର ପକ୍ଷରୁ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ୨.୫ କିଲୋ ଓଜନର ସ୍ବର୍ଣ୍ଣଖଚିତ ଧନୁତୀର ଉପହାର ଦେବେ ଚେନ୍ନଇର ଜଣେ କାରିଗର | ସେ ବିଗତ ୨୦୦ ବର୍ଷ ଧରି ପାରମ୍ପରିକ ଢଙ୍ଗରେ ଧନୁ ତୀର ନିର୍ମାଣ କରିଆସୁଛନ୍ତି। ରାମଙ୍କ ଧନୁରେ ୨୩ କ୍ୟାରେଟ ଯୁକ୍ତ ୭୦୦ ଗ୍ରାମ ସୁନା ବ୍ୟବହାର କରାଯାଇଥିବା ଧନୁ ତୀର ପ୍ରସ୍ତୁତ କରାଯାଉଛି। ୧୯ ସୁଦ୍ଧା ଏହା ‘ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ’କୁ ହସ୍ତାନ୍ତର କରାଯିବ ବୋଲି କୁହାଯାଇଛି। ସେହିଭଳି ଓଡିଶା ର ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ୍‌ ଅଧୀନ କଣ୍ଟିଲୋ ପଞ୍ଚାୟତ ଖୁଦବେହେରା ପାଟଣାର ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ସୁଦର୍ଶନ ସାହୁଙ୍କ ଦ୍ୱାରା ପ୍ରଦତ୍ତ ଏକ ମୟୂର କଣ୍ଠିଆ ଧନୁ ଓ ତୀର ରାମଲାଲାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଛି।ସୂଚନାଯୋଗ୍ୟ, ଭୁବନେଶ୍ୱର ଜାଗମରା ତୁଳସୀ ବିହାରସ୍ଥିତ ଐତିହ୍ୟ ଗବେଷକ ଓ ଗୋପୀନାଥ କଂସା ପିତଳ ସଂଗ୍ରହାଳୟର ମୁଖ୍ୟ ପରିଚାଳକ ତଥା ସଂଗ୍ରାହକ ସାହୁ ଉକ୍ତ ଧନୁ ଓ ତୀରକୁ ନିଜସ୍ବ ଡ଼ିଜାଇନ,ନକ୍ସାରେ ସ୍ବତନ୍ତ୍ର ଭାବେ ଗଞ୍ଜାମ ଜିଲା ଜଗମୋହନ ଅଞ୍ଚଳର ପ୍ରଦୀପ କୁମାର ମହାରଣାଙ୍କ ଦ୍ୱାରା ପ୍ରସ୍ତୁତ କରାଇଥିଲେ।

୨୫ ଇଞ୍ଚର ଏହି ଧନୁ ଓ ତୀରକୁ ପ୍ରସ୍ତୁତ କରିବା ପାଇଁ ସାହୁଙ୍କୁ ୩ମାସରୁ ଊର୍ଦ୍ଧ୍ୱ ସମୟ ଲାଗିଥିବା ବେଳେ ଧନୁର ଉଭୟ ପାର୍ଶ୍ୱ ମୟୂର କଣ୍ଠ ଆକୃତିର ହୋଇଛି| ଧନୁର ଗୁଣଟି ତମ୍ବା ତାର ଦ୍ୱାରା ସଂଯୋଗ ହୋଇଛି, ଯାହାକି ତେନ୍ତୁଳିଆ ବିଛା ପରି ପରିଲକ୍ଷିତ ହୋଇଛି।ଏହାଛଡା ତୀରଟି ବଗ ପକ୍ଷୀ ଆକୃତିର ଦେଖାଯିବା ସହ ଧନୁର ଶୀର୍ଷଭାଗ ଓଲଟ ଶୁଆ ସଦୃଶ ହୋଇଛି| ଏହି ଧନୁ ଓ ତୀରକୁ ରାମଲାଲାଙ୍କୁ ସମର୍ପଣ କରିବା ପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ୍ତି ରାୟ ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି।

ଅଧିକ ପଢନ୍ତୁ