ଅର୍ଚ୍ଚନା ନାଗ ପାଇଁ ପୁଣି ବଢ଼ିଲା ଅଡ଼ୁଆ । ଓକିଲାତି ପାଇଁ ଲାଇସେନ୍ସ ନେବା ସମୟରେ ସେ, ତାଙ୍କ ବିରୋଧରେ ଥିବା ଫୌଜଦାରୀ ମାମଲା ସମ୍ପର୍କରେ ତଥ୍ୟ ନଦେବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ।ଅର୍ଚ୍ଚନା ୨୦୨୪ ସେପ୍ଟେମ୍ବର ୨ ତାରିଖରେ ଆଇନଜୀବୀ ଭାବେ ନାମ ଲେଖାଇବା ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କ ଆବେଦନପତ୍ର ଯାଞ୍ଚ କରିବା ପରେ ପରିଷଦ ଜାଣିପାରିଛି ଯେ, ସେ ନିଜ ବିରୋଧରେ ଚାଲିଥିବା ମାମଲା ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି। ଆବେଦନପତ୍ରର ୨୦ ନମ୍ବର କଲମରେ ଅପରାଧିକ ମାମଲା ସମ୍ପର୍କୀତ ପ୍ରଶ୍ନର ଉତ୍ତରରେ ସେ ‘ନା’ ଲେଖିଥିଲେ, ଯାହା ଏକ ଗୁରୁତର ତଥ୍ୟ ଲୁଚାଇବାର ଉଦାହରଣ ବୋଲି ବାର କାଉନସିଲ କହିଛି।ଏଭଳି ସ୍ଥିତିରେ ଅର୍ଚ୍ଚନାଙ୍କୁ ରାଜ୍ୟ ଆଇନଜୀବୀ ପରିଷଦ ସଚିବ ଯଯାତି କେଶରୀ ସାମନ୍ତସିଂହାରଙ୍କ ତରଫରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହ ୭ ଦିନ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଇନ ଅନୁସାରେ କାହିଁକି ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେ ନେଇ କାରଣ ଦର୍ଶାଇବାକୁ ଅର୍ଚ୍ଚନାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ତେବେ ନୋଟିସ ପାଇବାର ସାତ ଦିନ ମଧ୍ୟରେ ଜବାବ ଦାଖଲ ନକଲେ ପରିଷଦ ତରଫରୁ ଏହି ପ୍ରସଂଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି । ଅର୍ଚ୍ଚନା ଏଲଏଲ.ବି. ପାସ କରିଥିବା ବେଳେ ଗତ ବର୍ଷ ଓକିଲାତି ଲାଇସେନ୍ସ ପାଇଁ ରାଜ୍ୟ ଆଇନଜୀବୀ ପରିଷଦ ନିକଟରେ ଆବେଦନ କରିଥିଲେ । ଗତ ମେ ୧୦ରେ ତାଙ୍କୁ ଓକିଲାତି ଲାଇସେନ୍ସ ପ୍ରଦାନ କରାଯାଇଥିଲା ।
