ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଏନଏସି ଉଚ୍ଚ ବିଦ୍ୟାଳୟର ମୁଖ୍ୟ ଫାଟକ,ଅସାମାଜିକକାର୍ଯ୍ୟକଳାପ ବୃଦ୍ଧି

ଜାତୀୟ ଏବଂ ରାଜ୍ୟ ରାଜପଥ ପାଶ୍ୱର୍ରେ ଥିବା ନୟାଗଡ଼ ସହରର ସମସ୍ତ କାର୍ଯ୍ୟାଳୟର ମୁଖ୍ୟ ଫାଟକ ଗୁଡ଼ିକ ରୂପାନ୍ତରିତ ହୋଇ ନୂତନ ରୂପରେଖ ପାଇ ଉଦଘାଟିତ ସାରିଥିବା ବେଳେ ଏନଏସି ଉଚ୍ଚ ବିଦ୍ୟାଳୟର ମୁଖ୍ୟ ଫାଟକ କାର୍ଯ୍ୟ ଦୀର୍ଘ ୩ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଛି । ଫଳରେ ଫାଟକ ନଥିବାରୁ ସନ୍ଧ୍ୟା ସମୟରେ ବିଦ୍ୟାଳୟ ପରିସରରେ ନିଶାଡ଼ି ତଥା ଅସାମାଜିକ ଲୋକମାନଙ୍କ ପାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି । ଏପରିକି ସନ୍ଧ୍ୟା ସମୟରେ ବିଦ୍ୟାଳୟ ପରିସରରେ ଅସାମାଜିକ ଲୋକମାନେ ଝାଡ଼ାପରିସ୍ରା କରିବା ସହିତ ମଦ୍ୟପାନ କରୁଥିବାରୁ ବିଦ୍ୟାଳୟ ପରିସର ଅପରିଷ୍କାର ଏବଂ  ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ୫୭ନଂ ଜାତୀୟ ରାଜପଥ ପାର୍ଶ୍ଵ ତଥା ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ଶହେ ମିଟର ଦୂରରେ ଅବସ୍ଥିତ ଏହି ବିଦ୍ୟାଳୟଟି ଗତବର୍ଷ ୫-ଟି ବିଦ୍ୟାଳୟରେ ରୂପାନ୍ତରିତ ହୋଇଥିଲା । ଫଳରେ ବିଦ୍ୟାଳୟ ପରିସରଟି ବିଭିନ୍ନ ଫୁଲଗଛରେ ଶୋଭା ବର୍ଦ୍ଧନ କରୁଥିବା ବେଳେ ବର୍ତ୍ତମାନ ମୁଖ୍ୟ ଫାଟକ ନଥିବାରୁ ଏହା ମଧ୍ୟକୁ ଗାଈଗୋରୁ,ବୁଲା ଷଣ୍ଢ ଇତ୍ୟାଦି ପ୍ରବେଶ କରି ବହୁ ମୂଲ୍ୟବାନ ଗଛ ଆଦିକୁ ଖାଇ ନଷ୍ଟ କରି ସାରିଲେଣି । ସେହିପରି ଅର୍ଦ୍ଧ ନିର୍ମିତ ମୁଖ୍ୟ ଫାଟକ ସାମନାରେ ବାଉଂଶ,ଇଟା,ଗୋଡ଼ି,ବାଲି ଆଦି ଗଦା ହୋଇ ରହିବା ଦ୍ୱାରା ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ପ୍ରବେଶ କରିବା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଇତି ମଧ୍ୟରେ ବିଦ୍ୟାଳୟରେ ଓଡ଼ିଶା ବୋର୍ଡ଼ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା,ବିଦ୍ୟାଳୟର ବାର୍ଷିକ ପରୀକ୍ଷା,ନିର୍ବାଚନ ତାଲିମ ଶିବିର,ବିଭିନ୍ନ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟ ଆଦି ଚାଲିଥିବା ବେଳେ ଅର୍ଦ୍ଧ ନିର୍ମିତ ଫାଟକ ଯୋଗୁଁ ନାନା ସମସ୍ୟା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ବିଦ୍ୟାଳୟର ମୁଖ୍ୟଫାଟକ ନଥିବାରୁ ବିଦ୍ୟାଳୟ ପରିସରରୁ ଅନେକ ମୂଲ୍ୟବାନ ଗଛ ଚୋରୀ ହୋଇ ଯାଉଥିବା ବେଳେ ବିଦ୍ୟାଳୟ ସମ୍ପତ୍ତିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ମୁଖ୍ୟଫାଟକ କାର୍ଯ୍ୟ ଶେଷ କରିବାକୁ ଅଭିଭାବକ,ସ୍ଥାନୀୟ ଜନସାଧାରଣ ତଥା ପୁରାତନ ଛାତ୍ରଛାତ୍ରୀ ମାନେ ଦାବି ଜଣାଇଛନ୍ତି ।

ଅଧିକ ପଢନ୍ତୁ