ଶୀତର ଆଗମନ ସହିତ ଓଡ଼ିଶା ଉପକୂଳ ଏବେ ବିଦେଶୀ ଅତିଥି ଅଲିଭ ରିଡଲେ କଇଁଛଙ୍କ ପାଇଁ ଚଳଚଞ୍ଚଳ ହୋଇଉଠିଛି । ବର୍ତ୍ତମାନ ସମୟରେ ଅଲିଭ ରିଡଲେ କଇଁଛଙ୍କ ମିଳନ ଋତୁ ଚାଲିଛି। କଇଁଛଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବନବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମୁଦ୍ର ମଧ୍ୟରେ କଇଁଛଙ୍କ ମିଳନ ପ୍ରକ୍ରିୟା ଚାଲିଥିବାରୁ ମାଛଧରା ଉପରେ କଡ଼ା କଟକଣା ଜାରି କରାଯାଇଛି । ବିଶେଷକରି ଯାନ୍ତ୍ରିକ ଡଙ୍ଗା ଓ ଟ୍ରଲର ଚଳାଚଳ ଉପରେ ରୋକ୍ ଲଗାଯାଇଛି, କାରଣ ଟ୍ରଲର ମାଡ଼ରେ ଅନେକ ସମୟରେ କଇଁଛଙ୍କ ମୃତ୍ୟୁ ଘଟିଥାଏ । ଅଲିଭ ରିଡ୍ଲେଙ୍କ ପ୍ରଜନନ ସମୟରେ ସ୍ଥାନୀୟ ଅଞ୍ଚଳକୁ ଏକ ‘ହାଇସିକ୍ୟୁରିଟି ଜୋନ୍’ ବା ଉଚ୍ଚ ସୁରକ୍ଷା ବଳୟ ଭାବେ ଘୋଷଣା କରାଯାଇଛି ।ବନବିଭାଗର ସ୍ୱତନ୍ତ୍ର ଟିମ୍ ଦିନରାତି ସମୁଦ୍ରରେ ପାଟ୍ରୋଲିଂ କରୁଛନ୍ତି । ବେଆଇନ ମାଛଧରାକୁ ରୋକିବା ପାଇଁ କଡ଼ା ନଜର ରଖାଯାଇଛି ।ଆଗକୁ କିଛି ଦିନ ପରେ ମିଳନ ପ୍ରକ୍ରିୟା ଶେଷ ହେଲେ, ଲକ୍ଷ ଲକ୍ଷ କଇଁଛ ସମୁଦ୍ର ବେଳାଭୂମିକୁ ସମୂହ ଅଣ୍ଡାଦାନ ପାଇଁ ଆସିବେ । ସେହି ସମୟରେ କଇଁଛଙ୍କ ସୁଅ ଛୁଟିବ ।
