କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତା ଦୌଲାଲ ବୈଷ୍ଣବ ମଙ୍ଗଳବାର ସକାଳେ ଏମ୍ସ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। ଦୀର୍ଘ ଦିନ ଧରି ଶ୍ୱାସକ୍ରିୟାରେ ସମସ୍ୟା ହେତୁ ତାଙ୍କୁ ଯୋଧପୁର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ କିଛି ଦିନ ଧରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ, ‘‘କେନ୍ଦ୍ର ରେଳମନ୍ତ୍ରୀଙ୍କ ପିତା ଦାଉଲାଲ ବୈଷ୍ଣବଙ୍କର ଜୁଲାଇ ୮ ତାରିଖ ପୂର୍ବାହ୍ନ ୧୧:୫୨ରେ ପରଲୋକ ଘଟିଛି। ସେ ଗତ କିଛି ଦିନ ଧରି ଗୁରୁତର ଅସୁସ୍ଥ ଥିଲେ ଏବଂ ଏମ୍ସ ଯୋଧପୁରରେ ଚିକିତ୍ସାଧୀନ ଥିଲେ। ଡାକ୍ତରୀ ଦଳଙ୍କ ସର୍ବୋତ୍ତମ ପ୍ରୟାସ ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇପାରିଲା ନାହିଁ। ଏମ୍ସ ଯୋଧପୁର ପରିବାର ତାଙ୍କ ସ୍ୱର୍ଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛି ଏବଂ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି।’’ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସକାଳ ୧୦ଟାରେ ଯୋଧପୁରରେ ପହଞ୍ଚିଥିଲେ। ସେ ବିମାନବନ୍ଦରରୁ ସିଧାସଳଖ ଏମ୍ସରେ ପହଞ୍ଚିଥିଲେ। କୁହାଯାଏ ଯେ, ଅଶ୍ୱିନୀ ବୈଷ୍ଣବଙ୍କର ତାଙ୍କ ମାତାପିତାଙ୍କ ପ୍ରତି ଗଭୀର ସ୍ନେହ ଥିଲା। ପ୍ରାପ୍ତ ସୂଚନା ଅନୁଯାୟୀ, ଦୌଲାଲ ବୈଷ୍ଣବଙ୍କ ଶେଷକୃତ୍ୟ ଆଜି ଯୋଧପୁରରେ କରାଯିବ। ଏଥିପାଇଁ ପରିବାର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
