ଅସ୍ତରଙ୍ଗ ସମୁଦ୍ରରେ କୁମ୍ଭୀର ।ପୁରୀଜିଲ୍ଲା ଅସ୍ତରଙ୍ଗର ଯାହାନିଆ ନିକଟ ସମୁଦ୍ର ଅଞ୍ଚଳରେ ଦେଖିବାକୁ ମିଳିଛି କୁମ୍ଭୀର । ଏହି କୁମ୍ଭୀରଟି ପ୍ରଥମେ ଦେବୀନଦୀର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଯାହା ପରେ ନଦୀ କୂଳିଆ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଦେବୀନଦୀକୁ ଲୋକମାନଙ୍କ ଯାତାୟାତ ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ଏହାର କିଛି ମାସ ପରେ ଅସ୍ତରଙ୍ଗ ସମୁଦ୍ରରେ ସେହି କୁମ୍ଭୀରଟି ଦେଖାଯାଇଛି । ଅସ୍ତରଙ୍ଗ ସମୁଦ୍ର କୂଳରେ କୁମ୍ଭୀରକୁ ଦେଖିବା ପରେ ଲୋକମାନେ ଅସ୍ତରଙ୍ଗ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅସ୍ତରଙ୍ଗ ବନବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି କୁମ୍ଭୀରର ଗତିପଥ ଉପରେ ନଜର ରଖିଛନ୍ତି । ଏହା ସହିତ ଲୋକମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ବାରଣ କରୁଥିବାର ଚିତ୍ର ଦେଖିବାକୁ ମିଳିଛି । ସମୁଦ୍ର କୂଳିଆ ଲୋକେ ଜଙ୍ଗଲ ମଧ୍ୟକୁ ଜାଳେଣୀ ସଂଗ୍ରହ କରିବା ପାଇଁ ଆସୁଥିବା ବେଳେ କେତେକ ଲୋକେ ଛେଳି, ଗାଈଗୋରୁ ଚରାଇବା ପାଇଁ ସମୁଦ୍ର କୁଳକୁ ପ୍ରତିଦିନ ଆସନ୍ତି । ଏମିତିକି ଅନେକ ସ୍ଥାନୀୟ ବାସିନ୍ଦା ସମୁଦ୍ରରୁ ମାଛ ଧରି ସେମାନଙ୍କ ଜୀବିକା ନିର୍ବାହ କରିଥାନ୍ତି । ଏବେ ସମୁଦ୍ରରେ ଏହି ବିଶାଳ କୁମ୍ଭୀର ଭାସୁଥିବା ଦେଖିବା ପରେ ଲୋକମାନେ ଭୟଭୀତ ହେବା ସହିତ ସମୁଦ୍ରକୁ ଯିବାକୁ ମଧ୍ୟ ଡରିବା ଆରମ୍ଭ କରିଛନ୍ତି ।
