ଜଷ୍ଟିସ ଡି ପି ଚୌଧରୀଙ୍କ ଅଧକ୍ଷତାରେ ଗଠିତ ଲିଙ୍ଗରାଜ ମନ୍ଦିର ସତ୍ବଲିପି କମିଟିର ଅନ୍ତରୀଣ ରିପୋର୍ଟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପ୍ରଦାନ କରାଯାଇଛି । ସବୁ ନିଯୋଗର ପୁରାତନ ନଥିପତ୍ରକୁ ନେଇ ଜଷ୍ଟିସ ଡି ପି ଚୌଧରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନ ପ୍ରସ୍ତୁତ କରିଛି ରିପୋର୍ଟ । ଏହି ରିପୋର୍ଟକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗ୍ରହଣ କରିବା ଅବସରରେ କହିଲେ ଯେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ହେଉଛନ୍ତି ସାରା ଓଡ଼ିଶା ତଥା ଦେଶର କୋଣ ଅନୁକୋଣରେ ଥିବା ଶ୍ରଦ୍ଧାଳୁଙ୍କ ଲାଗି ପ୍ରତ୍ୟକ୍ଷ ଠାକୁର । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରତି ଥିବା ଓଡ଼ିଶାବାସୀଙ୍କ ଭକ୍ତି ଓ ଭାବାବେଗକୁ ସମ୍ମାନ ଜଣାଇ ତାଙ୍କ ନୀତିକାନ୍ତି ଓ ସେବାପୂଜାକୁ ଖୁବ୍ ଶୀଘ୍ର ଶୃଙ୍ଖଳିତ ହେବାକୁ ଯାଉଛି । ଆଗାମୀ ଦିନରେ ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ କମିଟି ଦେଇଥିବା ସମସ୍ତ ପ୍ରସ୍ତାବକୁ ଅନୁଶୀଳନ କରି ବିିଭିନ୍ନ ନୀତିକାନ୍ତି, ପର୍ବପର୍ବାଣି, ଯାନିଯାତ୍ରା, ସେବା ଆଦିକୁ ଶୃଙ୍ଖଳିତ ତଥା ସୁନ୍ଦର ଭାବେ ପରିଚାଳନା କରିବା ସମ୍ଭବ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି । ତେବେ ଇତିହାସକାର, ଏଏସଆଇ, ଓଡ଼ିଶା ଷ୍ଟେଟ୍ ଲାଇବ୍ରେରୀ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନରୁ ଲିଙ୍ଗରାଜ ମନ୍ଦିର ସେବା, ନୀତି, ନିଯୋଗ ଓ ପର୍ବପର୍ବାଣି ନେଇ ତଥ୍ୟ ମଗା ଯାଇଥିଲା । ସେହି ପ୍ରାଥମିକ ତଥ୍ୟ ଅନୁସାରେ ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଜଷ୍ଟିସ ଡି ପି ଚୌଧୁରୀ ।
