ଆଇପିଏଲ୍‌କୁ ଅଲ୍‌ବିଦା କହିଲେ ଅଶ୍ୱିନ

ଦଶନ୍ଧିରୁ ଅଧିକ ସମୟ ଧରି ଏକ ଉଲ୍ଲେଖନୀୟ କ୍ୟାରିଅର ହାସଲ କରିବା ପରେ ଭାରତୀୟ ଅଭିଜ୍ଞ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଏକ୍ସ ପୋଷ୍ଟରେ ଅବସର ନେଇ ଘୋଷଣା କଲେ ଅଶ୍ୱିନ୍ । ତେବେ ସେ ଅନ୍ୟାନ୍ୟ ଟି-20 ଫ୍ରାଞ୍ଚାଇଜ୍ ଲିଗ୍‌ରେ ନିଜ ଭାଗ୍ୟ ପରୀକ୍ଷା କରିବେ । ଅଶ୍ୱିନ ଗତ ୨୦୨୪ ମସିହା ଡିସେମ୍ବର ୧୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷ ଗାବା ଟେଷ୍ଟ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସେତେବେଳେ ସେ IPL ଖେଳିବା ଜାରି ରଖିବେ ବୋଲି କହିଥିଲେ । ସେ ଗତ ସିଜିନ୍ IPLରେ ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଖେଳିଥିଲେ, ଅଶ୍ୱିନ୍‌ ୯ଟି ମ୍ୟାଚରେ ୭ଟି ୱିକେଟ୍ ନେଇଥିଲେ ଏବଂ ୩୩ ରନ୍ ବି କରିଥିଲେ । ସେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, “ଆଇପିଏଲ୍ କ୍ରିକେଟର୍ ଭାବେ ମୋର ସମୟ ଆଜି ଶେଷ ହେଉଛି । ହେଲେ ବିଶ୍ୱର ଅନ୍ୟ ଟି୨୦ ଲିଗ୍‌ରେ ଖେଳ ଜାରି ରହିବ । ସ୍ମୃତି ଏବଂ ସମ୍ପର୍କ ପାଇଁ ସମସ୍ତ ଫ୍ରାଞ୍ଚାଇଜ୍‌ମାନଙ୍କୁ ଧନ୍ୟବାଦ୍ ।” ଆଇପିଏଲ୍‌ରେ ୨୨୧ ମ୍ୟାଚ୍ ଖେଳି ୧୮୭ ୱିକେଟ୍ ନେଇଛନ୍ତି ଅଶ୍ୱିନ୍ । ସେ ଇଣ୍ଡିଆନ ପ୍ରିମିୟର ଲିଗରେ ୫ଟି ଦଳର ପ୍ରତିନିଧିତ୍ୱ କରିଥିଲେ। ଡିସେମ୍ବର ୨୦୨୪ରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital