ଆଇପିଏଲ ୨୦୨୬ ପାଇଁ ଶେଷ ହେଲା ନିଲମୀ । ୩୬୯ ଖେଳାଳିଙ୍କ ମଧ୍ୟରୁ ୭୭ ଖେଳାଳିଙ୍କୁ ଫ୍ରାଞ୍ଚାଇଜ ମାନେ ନିଜ ନିଜ ଦଳରେ ସାମିଲ କରିଛନ୍ତି । ବୁଧବାର ଆବୁଧାବିରେ ଆୟୋଜିତ ମିନି ଅକ୍ସନରେ ୫ ଜଣ ଖେଳାଳିଙ୍କୁ ୧୦ କୋଟି କିମ୍ବା ତା’ଠାରୁ ଅଧିକ ଟଙ୍କା ମିଳିଛି । ଏମାନଙ୍କ ମଧ୍ୟରେ ୩ ଜଣ ବିଦେଶୀ ଖେଳାଳି ଥିବାବେଳେ ୨ ଜଣ ଭାରତୀୟ ଅନକ୍ୟାପଡ ଖେଳାଳି ସାମିଲ ଅଛନ୍ତି । ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି କ୍ୟାମେରନ ଗ୍ରୀନ, ଯାହାଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୨୫.୨୦ କୋଟିରେ କିଣିଛି । ସେ IPL ଇତିହାସର ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି ମଧ୍ୟ । KKR ମଧ୍ୟ ଶ୍ରୀଲଙ୍କାର ଦ୍ରୁତ ବୋଲର ମାଥିଶା ପାଥିରାନାଙ୍କ ପାଇଁ ୧୮ କୋଟି ଖର୍ଚ୍ଚ କରିଛି। ଏପଟେ, ଚେନ୍ନାଇ ସୁପର କିଙ୍ଗସ୍ ଦୁଇ ଅନ୍ କ୍ୟାପ୍ ଖେଳାଳି, ପ୍ରଶାନ୍ତ ବୀର ଏବଂ କାର୍ତ୍ତିକ ଶର୍ମାଙ୍କ ପାଇଁ ୨୮ କୋଟିରୁ ଅଧିକ ଖର୍ଚ୍ଚ କରିଛି । ୧୯ ବର୍ଷୀୟ କାର୍ତ୍ତିକ ଶର୍ମାଙ୍କ ବେସ୍ ପ୍ରାଇସ୍ ୩୦ ଲକ୍ଷ ଟଙ୍କା ଥିଲା । ଏମଆଇ ତାଙ୍କ ପାଇଁ ପ୍ରାରମ୍ଭିକ ବୋଲି ଲଗାଇଥିଲା ଏବଂ ପରେ ଏଲଏସଜିର ଏଣ୍ଟ୍ରି ହେଲା । ଏହାପରେ କେକେଆର ଆଉ ସିଏସକେ ବୋଲିକୁ ଆସି ମୁହାଁମୁହିଁ ହୋଇଥିଲେ । ହେଲେ, ସିଏସକେ ଅଟଳ ରହିଲା । ସେ ୧୪ କୋଟିର ବୋଲି ଲଗାଇଲା ଏବଂ କେକେଆର ହାତ ପଛକୁ ଟାଣି ନେଲା । ଆଉ ସିଏସକେ କାର୍ତ୍ତିକଙ୍କୁ ନିଜ ଦଳରେ ସାମିଲ କରିଥିଲା ।୨୦ ବର୍ଷୀୟ ପ୍ରଶାନ୍ତ ବୀର ଜଣେ ଅଲରାଉଣ୍ଡର । ସେ ବାମହାତୀ ସ୍ପିନ୍ ବୋଲିଂ କରନ୍ତି ଏବଂ ମଧ୍ୟକ୍ରମରେ ବ୍ୟାଟିଂ କରନ୍ତି । ପ୍ରଶାନ୍ତ ପ୍ରଥମ ଥର ପାଇଁ ଆଇପିଏଲ୍ ଖେଳିବେ । ସେ ଏପର୍ଯ୍ୟନ୍ତ ୧୨ଟି ଘରୋଇ ଟି-୨୦ ମ୍ୟାଚରେ ୧୬୭.୧୬ ଷ୍ଟ୍ରାଇକ୍ ରେଟରେ ୧୧୨ ରନ୍ ସଂଗ୍ରହ କରିଛନ୍ତି । ସେହିପରି, ପ୍ରଶାନ୍ତ ୯ଟି ଇନିଂସରେ ୬.୪୫ ଇକୋନୋମି ରେଟରେ ୧୨ଟି ୱିକେଟ୍ ନେଇଛନ୍ତି । ତେବେ ଆଇପିଏଲ୍ ୨୦୨୬ର ମିନି ଅକ୍ସନ ଲିଆମ ଲିଭିଂଷ୍ଟୋନଙ୍କ ପାଇଁ ଲକି ସାବ୍ୟସ୍ତ । କାରଣ ପ୍ରଥମ ରାଉଣ୍ଡରେ ବିକ୍ରି ହୋଇପାରିନଥିଲେ ଲିଭିଂଷ୍ଟୋନ୍ । ତାଙ୍କ ବେସ୍ ପ୍ରାଇସ୍ ଦୁଇକୋଟି ଟଙ୍କା ଥିଲା । ଏହାପରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ତାଙ୍କ ପାଇଁ ବିଡ୍ ଲଗାଇବା ଆରମ୍ଭ କରିଥିଲା । ଏହାପରେ ଏ ସନରାଇଜର୍ସ ମଧ୍ୟ ଲିଭିଂଷ୍ଟୋନ୍ ପାଇଁ ଆଗ୍ରହ ଦେଖାଇଥିଲା । ଶେଷରେ ୧୩ କୋଟି ଟଙ୍କାରେ ହାଇଦ୍ରାବାଦକୁ ଯାଇଛନ୍ତି ଲିଭିଂଷ୍ଟୋନ୍ । IPL 2026 ନିଲାମରେ, ମୁସ୍ତାଫିଜୁର ରହମାନଙ୍କୁ କୋଲକାତା ନାଇଟ୍ ରାଇଡର୍ସ 9.20 କୋଟି ଟଙ୍କାରେ କିଣିଛି ।ତାଙ୍କ ବେଶ ପ୍ରାଇସ 2 କୋଟି ଥିଲା । ପୂର୍ବରୁ, ମୁଖ୍ୟତଃ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଏକ ନିଲାମ ଯୁଦ୍ଧ ପରେ IPL ଇତିହାସରେ ସବୁଠାରୁ ମହଙ୍ଗା ବାଂଲାଦେଶୀ ଖେଳାଳି ହୋଇଯାଇଥିଲେ।ମୁସ୍ତାଫିଜୁର ଜଣେ ଅଭିଜ୍ଞ ବାମହାତୀ ଖେଳାଳି ଏବଂ ଡେଥ୍-ଓଭର ବୋଲିଂ ଦକ୍ଷତା ପାଇଁ ଜଣାଶୁଣା ।
