ଆଖିରେ ଆଘାତ ଲାଗିବା ପରେ ସିଲେଇ ନକରି ଫେଭିକ୍ବିକ୍ ଲଗାଇଦେଲେ ଡାକ୍ତର

ଆଖିରେ ଆଘାତ ଲାଗିବା ପରେ ସିଲେଇ ନକରି ଫେଭିକ୍ବିକ୍ ଲଗାଇଦେଲେ ଡାକ୍ତର। ମିରଟରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା। ଏହି ଘଟଣା ପରେ 3ଟି ଟିମ ଦ୍ୱାରା ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଜାଗୃତି ବିହାର ଏକ୍ସଟେନସନରେ ରୁହନ୍ତି ସର୍ଦ୍ଦାର ଜସପ୍ରିତର ସିଂହ । ଦୁଇଦିନ ତଳେ ତାଙ୍କର 2 ବର୍ଷର ପୁଅ ଘର ସାମ୍ନାରେ ଖେଳୁଥିବାବେଳେ ଆଖିରେ ଆଘାତ ଲାଗିଥିଲା। ପରିବାର ଲୋକେ ପୁଅକୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ । ସେଠାରେ ଦାୟିତ୍ୱରେ ଥିବା ଡାକ୍ତର କ୍ଷତର ଡ୍ରେସିଂ କରିଥିଲେ । ଡ୍ରେସିଂ ପରେ ପୁଅକୁ ଧରି ପରିବାର ଲୋକେ ଘରକୁ ଫେରି ଆସିଲେ । ହେଲେ ଘରେ ଶିଶୁଟିର ଯନ୍ତ୍ରଣା କମିବା ପରିବର୍ତ୍ତେ ବଢିବାକୁ ଲାଗିଲା । ପ୍ରଥମେ ପରିବାର ଲୋକେ ଭାବିଲେ, ଯେହେତୁ ଛୋଟ ପିଲା ତେଣୁ ଯନ୍ତ୍ରଣା ସହି ପାରୁନି । ହେଲେ ପିଲାଟି କ୍ଷତ ଜାଗା କୁଣ୍ତେଇ ହେଉଛି ବୋଲି କହିବାରୁ ପରିବାର ଲୋକେ କିଛି ବୁଝି ପାରିଲେ ନାହିଁ ।ବୁଧବାର ପୁଅକୁ ନେଇ ପରିବାର ଲୋକେ ପୁଣି ଡ୍ରେସିଂ କରିବାକୁ ଡାକ୍ତରଖାନା ଗଲେ । ହେଲେ ସେଇ ଡାକ୍ତରଖାନା ନ ଯାଇ ଆଉ ଏକ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଯେତେବେଳେ ଡ୍ରେସିଂ ପାଇଁ ବ୍ୟାଣ୍ଡେଜ ଖୋଲିବାକୁ ଚେଷ୍ଟା କଲେ ସେତେବେଳେ ପଟ୍ଟି ଖୋଲି ନ ଥିଲା । ଆଖିରେ ଲାଖି ରହିଥିଲା । ବହୁ ଚେଷ୍ଟା ସତ୍ତ୍ୱେ ପଟ୍ଟି ଖୋଲି ପାରି ନ ଥିଲେ ଡାକ୍ତର । ଏପରିକି ଡାକ୍ତରଖାନାର ଅନ୍ୟ କର୍ମଚାରୀମାନେ ଏହି ପଟ୍ଟି ଖୋଲିବାକୁ ବହୁ ଚେଷ୍ଟା କରିଥିଲେ । ସମସ୍ତ ବିଫଳ ହୋଇଥିଲେ । ପରେ ଡାକ୍ତରମାନେ ଜାଣିବାକୁ ପାଇଥିଲେ ଯେ ପିଲାଟିର ଆଖିକୁ ଫେଭିକୁଇକ ପରି କିଛି ପଦାର୍ଥରେ ବାନ୍ଧି ଦିଆଯାଇଛି । ଡାକ୍ତରମାନେ ତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସମସ୍ତ କଥା ପରିବାର ଲୋକଙ୍କୁ କହିଥିଲେ । ଶେଷରେ ଡାକ୍ତରମାନେ ଘା ଉପରୁ ଏହି ଫେଭିକୁଇକ ପଟ୍ଟି ହଟାଇଥିଲେ ସତ କିନ୍ତୁ ଏହା ପରେ ପିଲାଟିର ଆଖିରେ 4ଟି ଷ୍ଟିଜ ପକାଇବାକୁ ପଡିଥିଲା ।ଏନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ଏବେ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ମିରଟର ସିଏମଓ ଡା. ଅଶୋକ କଟରିୟା। ଯାଞ୍ଚ ପରେ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଅଧିକ ପଢନ୍ତୁ