
ଶରଣକୁଳ,(ଓଡ଼ିଶା ଦର୍ପଣ): ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଙ୍ଗିସିଙ୍ଗି ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ଦଧି ବାମନ ଜୀଉ ଉଚ୍ଚ ବିଦ୍ୟାଳୟ ଶିଖରପୁର ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି l ଆଙ୍ଗିସିଙ୍ଗି ସି.ଆର.ସି.ସି ରାଜେଶ ଶଢଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ମହୋତ୍ସବର ଉଦ୍ଘାଟନୀ ଉତ୍ସବରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରାଜ କିଶୋର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମହୋତ୍ସବକୁ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିବା ସହିତ “ଶିଶୁର ସୃଜନଶୀଳତାର ବିକାଶରେ ଶିଶୁ ମହୋତ୍ସବ ସୁରଭିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ “ବୋଲି ମତ ପ୍ରକାଶ କରିଥିଲେ l ପରେ ପରେ ଏହି କ୍ଲଷ୍ଟର ଅନ୍ତର୍ଗତ ପନ୍ଦରଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ରୁ ଆସିଥିବା ଶତାଧିକ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବରିଷ୍ଠ ଓ କନିଷ୍ଠ ଦୁଇଟି ବିଭାଗରେ କଣ୍ଠ ସଙ୍ଗୀତ, ଚିତ୍ରାଙ୍କନ, ରଚନା, ସୁନ୍ଦର ହସ୍ତାକ୍ଷର, ଇଲୋକେସନ,କୁଇଜ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଅପରାହ୍ଣରେ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଗାୟକ କଳାନିଧି ପଣ୍ଡିତ ମନୋଜ କୁମାର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ଶିଖରପୁର ସମିତି ସଭ୍ୟ ତଥା ସ୍କୁଲ ପରିଚାଳନା କମିଟି ସଭାପତି ଭାଗବତ ସେଠି, କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶ, କଣ୍ଠଶିଳ୍ପୀ ରବୀନ୍ଦ୍ର କୁମାର ଦାଶ, ମୋ ସ୍କୁଲ ସଭାପତି ମାନସ ବାରିକ ପ୍ରମୁଖ ଅତିଥି ରୂପେ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ l ଶିକ୍ଷକ ନିରାକାର ସ୍ୱାଇଁ ମଞ୍ଚ ପରିଚାଳନା କରିଥିବା ବେଳେ ସି.ଆର.ସି.ସି ରାଜେଶ କୁମାର ଷଢଙ୍ଗୀ ସମସ୍ତ ପ୍ରତିଯୋଗିତା ଗୁଡିକୁ ପରିଚାଳନା କରିଥିଲେ l ଏଥିରେ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ l