ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା। ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ମଧ୍ୟରେ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା। ଏଥିରେ ଘର ଏବଂ ସେଥିରେ ଥିବା ସୁବିଧା ସୁଯୋଗର ତାଲିକା ପ୍ରସ୍ତୁତ କରାଯିବ। ପ୍ରଥମ ଥର ପାଇଁ ନାଗରିକମାନେ se.census.gov.in ପୋର୍ଟାଲକୁ ଯାଇ ଓଡ଼ିଆ ସମେତ ୧୬ଟି ଭାଷାରେ ନିଜ ତଥ୍ୟ ଅନଲାଇନ୍ ରେ ଦେଇପାରିବେ। ଯେଉଁମାନେ ଅନଲାଇନ୍ ରେ ତଥ୍ୟ ଦେବେ ନାହିଁ, ସେମାନଙ୍କ ପାଇଁ ତାଲିମପ୍ରାପ୍ତ କର୍ମଚାରୀମାନେ ମୋବାଇଲ୍ ଆପ୍ ସହିତ ଆପଣଙ୍କ ଘରକୁ ଆସିବେ। ଏଥିପାଇଁ କୌଣସି ପରିଚୟ ପତ୍ର ବା ଦଲିଲ୍ ଦେଖାଇବା ଆବଶ୍ୟକ ନାହିଁ। ଘରର ଅବସ୍ଥା, ପିଇବା ପାଣି, ବିଦ୍ୟୁତ୍, ରନ୍ଧନ ଗ୍ୟାସ୍, ଇଣ୍ଟରନେଟ୍ ଏବଂ ଶୌଚାଳୟ ଭଳି ପ୍ରାୟ ୩୩ଟି ପ୍ରଶ୍ନ ପଚରାଯିବ।
ସେହିପରି ଦ୍ବିତୀୟ ପର୍ଯ୍ୟାୟ ସେନସସ ଆସନ୍ତା ବର୍ଷ ଫେବୃଆରୀ ମାସରେ ହେବ। ଏଥିରେ ବ୍ୟକ୍ତିଗତ ତଥ୍ୟ ଯଥା ବୟସ, ଶିକ୍ଷା, ଏବଂ ଅର୍ଥନୈତିକ ସ୍ଥିତି ବିଷୟରେ ଗଣନା କରାଯିବ। ଏହି ପର୍ଯ୍ୟାୟରେ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଜାତିଭିତ୍ତିକ ତଥ୍ୟ ମଧ୍ୟ ସଂଗ୍ରହ କରାଯିବ। ସବୁ ତଥ୍ୟ ମୋବାଇଲ୍ ଆପ୍ ଜରିଆରେ ନିଆଯିବ, ଯାହାଫଳରେ ରିପୋର୍ଟ ଖୁବ୍ ଶୀଘ୍ର ପ୍ରକାଶ ପାଇବ। ଏଥିରେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ। କେବଳ ସରକାରୀ ଯୋଜନା ପ୍ରସ୍ତୁତି ପାଇଁ ବ୍ୟବହାର କରାଯିବ।ଜନଗଣନା ୨ ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ଏବଂ ସ୍ବୟଂଗଣନା କରାଯିବ। ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ ବିଭିନ୍ନ ରାଜ୍ୟରେ ୧୫ ଦିନ ପାଇଁ ଏହି ସୁବିଧା ଉପଲବ୍ଧ ହେବ। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍ବୟଂଗଣନା ସହ ଗୃହ ତାଲିକାକରଣ ପ୍ରକ୍ରିୟା ଜାରି ରହିବ। ଏଥିପାଇଁ ସେଲ୍ଫ-ଏନୁମେରେଶନ ପୋର୍ଟାଲ ୧୬ଟି ଭାଷାରେ ଉପଲବ୍ଧ ହେବ। ଜନଗଣନା କାର୍ଯ୍ୟରେ ୩ ନିୟୁତରୁ ଊର୍ଦ୍ଧ୍ୱ କର୍ମଚାରୀ ନିୟୋଜନ ହେବେ।
