କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦ ଟିକସ ସ୍ଲାବର ସଂଶୋଧନ ଉପରେ ଆଲୋଚନା କରିବା ପାଇଁ ଆଜିଠାରୁ ଦୁଇ ଦିନିଆ ବୈଠକ ଆରମ୍ଭ ହେବ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସରେ GST ଢାଞ୍ଚାରେ ଏକ ବ୍ୟାପକ ସଂସ୍କାର ଆଣିବାକୁ ଘୋଷଣା କରିଥିଲେ। ତାହାକୁ ଦୃଷ୍ଟିରେ ରଖି, GST ପରିଷଦର ଏହି ବୈଠକ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ବୈଠକରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ GST ହ୍ରାସ କରିବାର ନିଷ୍ପତ୍ତି ନିଆଯାଇପାରେ। ଘିଅ, ବଟର, ଟୁଥପେଷ୍ଟ, ସାମ୍ପୁ, ପନିର, କ୍ଷୀର ପାଉଡର, ସିମେଣ୍ଟ ଏବଂ କାର ସମେତ ସାଧାରଣ ଲୋକଙ୍କ ଦ୍ୱାରା ବ୍ୟବହୃତ ଅନେକ ସାମଗ୍ରୀ ଉପରେ ମଧ୍ୟ GST ହ୍ରାସ କରାଯାଇପାରେ। ସାଧାରଣ ଗ୍ରାହକ ଏବଂ ଛୋଟ ବ୍ୟବସାୟୀମାନେ ଏହାର ସିଧାସଳଖ ଲାଭ ପାଇବେ।କେନ୍ଦ୍ର ସରକାର ବିଶେଷ ଭାବେ ସ୍ବାସ୍ଥ୍ୟ ପାଇଁ ଅହିତକର ସାମଗ୍ରୀ ପାଇଁ ୪୦ ପ୍ରତିଶତ ସ୍ୱତନ୍ତ୍ର ଟିକସ ହାର ସହିତ ୫, ୧୨, ୧୮ ଏବଂ ୨୮ ପ୍ରତିଶତର ୪ଟି ସ୍ଲାବକୁ ୫ ଓ ୧୮ ପ୍ରତିଶତ ଦୁଇଟି ସ୍ଲାବ ମଧ୍ୟରେ ସୀମିତ ରଖିବାକୁ ପରାମର୍ଶ ଦେଇଛନ୍ତି। ତେବେ ଜିଏସଟି ସ୍ଲାବରେ ପରିବର୍ତ୍ତନ ହେଲେ ଦୁଇଟି ପ୍ରମୁଖ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଥିବା ବିଶେଷଜ୍ଞ କହିଛନ୍ତି। ଟିକସ ହ୍ରାସ ପରେ ରାଜସ୍ୱ କ୍ଷତି ପୂରଣ ପାଇଁ କେଉଁ ବିକଳ୍ପ ରହିବ ଏବଂ ଜିଏସଟି ହାର ହ୍ରାସର ଲାଭ ସର୍ବଶେଷ ହିତାଧିକାରୀ, ଅର୍ଥାତ୍ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ କି ନାହିଁ।
