ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାରରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ଧରି ଏହି ମହୋତ୍ସବ ହେବ ଏବଂ ଏହି ସମୟ ଅବଧିରେ ବରଗଡ଼ରେ କଂସ ରାଜୁତି ଚାଲିବ। ବରଗଡ଼ ପାଳଟି ଯିବ ମଥୁରା ନଗରୀ , ଅମ୍ବାପାଲି ପାଲଟିଯିବ ଗୋପପୁର । ଏବଂ ଚିର ପ୍ରବାହିତ ଜୀରାନଦୀ ପାଳଟିଯିବ ଜମୁନା ନଦୀ । ଏହା ସହିତ ବରଗଡ଼ର ଆବାଳ ବୃଦ୍ଧ ବନୀତା ପାଲଟିଯିବେ ଏହି ସର୍ବବୃହତ ମୁକ୍ତାକାଶ ରଂଗମଂଚର ଜଣେ ଜଣେ କଳାକାର । ଏନେଇ ସାରା ବରଗଡ଼ ସହର ଚଳଚଂଚଳ ହୋଇଉଠିଥିବା ବେଳେ ମଥୁରା ଠାରୁ ଆରମ୍ଭ କରି ଗୋପପୁର ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।କଳାକାରଙ୍କ ପୂର୍ବାଭ୍ୟାସ ଶେଷ ହୋଇଥିବା ବେଳେ ମାହୁନ୍ତଙ୍କ ସହିତ ହାତୀ , ୫ ଘୋଡ଼ା ଏବଂ ୪ଟି ଓଟ ପହଞ୍ଚି ସାରିଛନ୍ତି ।
ପରମ୍ପରା ଦୃଷ୍ଟିରୁ ଅନ୍ୟବର୍ଷ ଭଳି ଏଥର ମଧ୍ୟ ବରଗଡ଼ ଏମ୍ପି ସୁରେଶ ପୂଜାରୀ ଏବଂ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ସୋମବାର ସନ୍ଧ୍ୟା ୭ଟାରେ ଧନୁଯାତ୍ରା ମହୋତ୍ସବ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପୋଲିସ ପ୍ରଶାସନ ମଧ୍ୟ ଧନୁଯାତ୍ରାକୁ ନେଇ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । କିପରି ଯାତ୍ରା ସମୟରେ ଟ୍ରାଫିକ ସମସ୍ୟା ନହେବ ସେନେଇ ବରଗଡର ବିଭିନ୍ନ ଛକରେ ଟ୍ରାଫିକ ପୋଲିସ ମୃତୟନ କରାଯିବା ସହିତ ବିଭିନ୍ନ ରାସ୍ତାକୁ ଓ୍ବାନ ଓ୍ବେ କରାଯାଇଛି । ବରଗଡ ସହରର ବିଭିନ୍ନ ସ୍ଥାନରେ ସିସି ଟିଭି କ୍ୟାମେରା ଲଗାଯାଇ ଚୋର ମାନଙ୍କର ଗତିବିଧି ଉପରେ ଲକ୍ଷ ରଖାଯିବ।