ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ଆଜିଠାରୁ ବିଧାୟକଙ୍କ ପାଇଁ ୨ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ। ଦଳୀୟ ଭିତ୍ତିରେ କାର୍ଯ୍ୟକ୍ରମ ହେଉଥିବାର ଅଭିଯୋଗ ଆଣି ଉଭୟ ବିଜେଡି ଓ କଂଗ୍ରେସ ଏହାର ବର୍ଜନ କରିଛନ୍ତି । ଦୁଇ ବିରୋଧୀ ଦଳର ବର୍ଜନ ପରେ ଏବେ ବିଜେପିର ବିଧାୟକଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଚାଲିବା ଏକପ୍ରକାର ନିଶ୍ଚିତ ହୋଇଛି। ସଂସଦୀୟ ନିୟମ ଅନୁଯାୟୀ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଉଛି। ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ଏହି ପ୍ରଶିକ୍ଷଣ ଶିବିରର ଉଦ୍ଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଏ ସଂକ୍ରାନ୍ତରେ ବାଚସ୍ପତି ବିରୋଧୀ ଦଳ ନେତାଙ୍କ ସହିତ ଆଲୋଚନା କରିଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ସିଂହ, କେନ୍ଦ୍ର ସଂସଦୀୟ ମନ୍ତ୍ରୀ କିରଣ ରିଜ୍ଜୁ ପ୍ରମୁଖ ବିଧାୟକଙ୍କୁ ମନ୍ତ୍ର ଦେବା କାର୍ଯ୍ୟକ୍ରମ କରାଯାଇଛି।
ସଂସଦର ବରିଷ୍ଠ ନେତା ଭର୍ତ୍ତୃହରି ମହତାବ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବିଜେଡିର ବରିଷ୍ଠ ନେତା ପ୍ରଫୁଲ ଘଡ଼େଇ, ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଂଗ୍ରେସର ପୁରୁଖା ନେତା ନରସିଂହ ମିଶ୍ରଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ସଂସଦୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି।ପ୍ରଥମ ଦିନ ତଥା ଉଦଘାଟନୀ ଦିବସରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ କିରଣ ରିଜିଜୁ ସାମିଲ ହେବା ନେଇ କାର୍ଯ୍ୟ ସ୍ଥିର ହୋଇଥିଲା। ଯାହା ପରେ ପୂରା କାର୍ଯ୍ୟକ୍ରମକୁ ବୟକଟ କରିବାକୁ ନିଷ୍ପତ୍ତି ନେଇଥିଲା ବିଜେଡି। ତେବେ ସଂଶୋଧନ ପରେ ଅତିଥି ତାଲିକାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜେପି ନଡ୍ଡାଙ୍କୁ ବାଦ୍ ଦିଆଯାଇଥିଲା। ଏହାସତ୍ତ୍ୱେ ମଧ୍ୟ ପ୍ରଶିକ୍ଷଣ ଶିବିରରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ବିରୋଧୀ।