ଓଡ଼ିଶା ନର୍ସିଂ ଅଧିକାରୀ ସଂଘ ଆଜିଠୁ ପୁଣି ଆନ୍ଦୋଳନ କରିବ। ଦୁଇ ଦିନ ଧରି ଜରୁରୀକାଳୀନ ସେବାକୁ ବାଦ ଦେଇ ଅନ୍ୟ ସବୁ ସେବା ବର୍ଜନ କରିବ ଏବଂ ଏହାପରେ ଯଦି ସରକାର ଦାବି ପୂରଣ ନକରନ୍ତି ୨୭ରୁ ଅନିର୍ଦିଷ୍ଟ କାଳ ପାଇଁ ସମ୍ପୂର୍ଣ୍ଣଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ |ଏସମା ଲାଗିଥିବାରୁ ଆନ୍ଦୋଳନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ସରକାରୀ ହସ୍ପିଟାଲ ନିର୍ଦ୍ଦେଶକ ଓ ଅଧୀକ୍ଷକଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ନର୍ସିଂ ନିର୍ଦ୍ଦେଶକ। ଚିଠିରେ ଉଲ୍ଲେଖ ରହିଛି ଯେ, ଗତ ଅଗଷ୍ଟ ୭ ତାରିଖରୁ ନର୍ସିଂ ଅଫିସରଙ୍କ ବିରୋଧରେ ୬ ମାସ ପାଇଁ ଏସମା ଲାଗୁ ହୋଇଛି। ଏଭଳି ସ୍ଥିତିରେ ଯଦି ନର୍ସିଂ କର୍ମଚାରୀ ସଂଘ ଆନ୍ଦୋଳନ କରେ, ତାହାହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଗତମାସରେ ଦାବି ପୂରଣ ପାଇଁ ସଂଘ ଆନ୍ଦୋଳନ କରିଥିଲା ଏବଂ ସେବା ପ୍ରଭାବିତ ହେବାରୁ ସରକାର ଆଲୋଚନାକୁ ଡାକିଥିଲେ। ଗତ ୨୫ରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଥିଲା। ମନ୍ତ୍ରୀ ସଂଘକୁ ମାସେ ମହଲତ ଦେଇଥିଲେ ଏବଂ ମାସେ ମଧ୍ୟରେ ଦାବି ପୂରଣ ଉପରେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ। ମାତ୍ର ଏପର୍ଯ୍ୟନ୍ତ ସରକାର କୌଣସି ପଦେକ୍ଷପ ଗ୍ରହଣ କରିଲେ ନାହିଁ କିମ୍ବା ସଂଘକୁ ଜଣାଇଲେ ନାହିଁ। ତେଣୁ ବାଧ୍ୟ ହୋଇ ଆସନ୍ତା ୨୫ରୁ ସଂଘ ଆଶୁଚିକିତ୍ସା କେନ୍ଦ୍ର, ଓଟି, ଲେବର ରୁମ ଏବଂ ଆଇସିୟୁ କାର୍ଯ୍ୟକୁ ବାଦ ଦେଇ ଅନ୍ୟ ସବୁ କାର୍ଯ୍ୟ ୨୬ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବେ।