ଆଜିଠୁ ପିତୃପକ୍ଷ ଆରମ୍ଭ

ଆଜିଠୁ ପିତୃପକ୍ଷ ଆରମ୍ଭ। ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇଛି ପିତୃପକ୍ଷ। ସେଥିପାଇଁ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣୀ ସମେତ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଓ ସମୁଦ୍ର ବେଳାଭୂମିରେ ଗହଳି ଦେଖିବାକୁ ମିଳିଛି । ବହୁ ଲୋକ ନିଜନିଜ ପିତୃ ପୁରୁଷଙ୍କ ଉଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରିଛନ୍ତି । ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦାଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନକୁ ପିତୃପକ୍ଷ କୁହାଯାଏ। ପିତୃ ପୁରୁଷଙ୍କ ମୃତ୍ୟୁ ତିଥିରେ ତାଙ୍କ ଉତ୍ତର ପୁରୁଷ ତିଳତର୍ପଣ ସହ ମହାଳୟା ବିଧିରେ ଶ୍ରାଦ୍ଧ ପ୍ରଦାନ କରିଥାନ୍ତି। ଯେଉଁମାନେ ତିଥିରେ ଶ୍ରାଦ୍ଧ କରିପାରନ୍ତି ନାହିଁ ସେମାନେ ମହାଳୟା ଦିନ ଶ୍ରାଦ୍ଧ ଦେଇଥାନ୍ତି। ତର୍ପଣ ଓ ଶ୍ରାଦ୍ଧ କରିବା ଦ୍ୱାରା ପିତୃଲୋକ ସନ୍ତୁଷ୍ଟ ହୋଇ ପରିବାରର ସୁଖ, ଶାନ୍ତି, ସମୃଦ୍ଧି ବୃଦ୍ଧି କରିଥାନ୍ତି। ଅନେକ ବ୍ୟକ୍ତି ଯେଉଁମାନେ ଘରେ ଶ୍ରାଦ୍ଧ ଦେଇ ନ ପାରନ୍ତି ସେମାନେ ବାଇଶ ପାହାଚରେ ପିଣ୍ଡ ଦାନ କରିଥାନ୍ତି। ଏହି ପିତୃପୁରୁଷଙ୍କୁ ଦୀପାବଳି ଅମାବାସ୍ୟା ଦିନ ଅନ୍ଧାରରେ ଆସ ଆଲୁଅରେ ଯାଅ ବୋଲି କୁହାଯାଇ ବିଦାୟ ଦିଆଯାଏ।ଏନେଇ ଆଜି ସକାଳୁ ପୁରୀର ବିଭିନ୍ନ ତୀର୍ଥ ପୁଷ୍କରଣୀ ସମେତ ମହୋଦଧିରେ ଭିଡ଼ ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ