ଆଜିଠୁ ବଢିବ ରାତି ତାପମାତ୍ରା । ଆସନ୍ତା ୪ ଦିନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିପାରେ। ଏହାର ପ୍ରଭାବରେ ଶୀତ କମିଯିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ବା ଏହାଠାରୁ ଅଧିକ ରହିବ ।
ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପାରଦ ୧୦ ଡିଗ୍ରୀ ବା ଏହାଠାରୁ ସାମାନ୍ୟ ଅଧିକ ରହିପାରେ। ସେହିଭଳି ୧୨ ତାରିଖ ଯାଏ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ସୋମବାର ପୁରୀରେ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀ ରହିବ । ଖୋର୍ଦ୍ଧା, ଛତ୍ରପୁର, ଗୋପାଳପୁର ଓ ଭଦ୍ରକରେ ୧୬ ଡିଗ୍ରୀ ରହିପାରେ । ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ବା ଏହାଠାରୁ ଅଧିକ ରହିବ । ମଙ୍ଗଳବାର ପୁରୀରେ ୧୯ ଡିଗ୍ରୀ, ଭଦ୍ରକ, ଛତ୍ରପୁର ଓ ଗୋପାଳପୁରରେ ୧୭ ଡିଗ୍ରୀ ସେଲସିୟସ ରହିପାରେ ।
