ଆଜିଠୁ ୭ ଦିନ ପର୍ଯ୍ୟନ୍ତ ବାଜା, ତୁରି, ମହୁରି ଶଙ୍ଖନାଦରେ କମ୍ପିବ ସହର । ଆରମ୍ଭ ହେବାକୁ ଯାଉଛି ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହେବ । ସାମିଲ ହେବେ ମାନବ, ଦାନଵ, ଦେବତା, ଅସୁର, ଭୁତ, କିନ୍ନର, ଗନ୍ଧର୍ବ ଆଦି ସମସ୍ତେ । ଭୋଳାବାବାଙ୍କ ବରଯାତ୍ରୀ ଶୋଭାଯାତ୍ରା ଓ ଯୁଗଳ ଦର୍ଶନ ଶୋଭାଯାତ୍ରା ହେବ । ଆଜି ଠୁ ଆରମ୍ବ ହେଉଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ସମ୍ବଲପୁର ସହରର ଅନ୍ୟତମ ପ୍ରମୁଖ ଶୀତଳଷଷ୍ଠୀ ଯାତ୍ରା କମିଟି ନନ୍ଦପଡାର “ବମ ବରାଡ଼ ବାଲୁଙ୍କେଶ୍ୱର ବାବା” ଶୀତଳ ଷଷ୍ଠୀ ଯାତ୍ରା କମିଟିର ପତରପେଣ୍ଡି ନୀତି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଛି । ବାଲୁଙ୍କେଶ୍ୱର ମହାଦେବ ମନ୍ଦିରରେ ବାବାଙ୍କ ଵିଧି ପୂର୍ବକ ପୂଜାର୍ଚ୍ଚନା ପରେ ସପ୍ତଋଷି, ବରପିତା ମହାଦେବଙ୍କ ପାଇଁ କନ୍ୟା ଅନ୍ବେଷଣ ରେ ବାହାରିବେ । ବରପିତା ଓ ସପ୍ତଋଷି ଦିବ୍ୟ ବିମାନରେ ଅରୁଢ଼ ପୂର୍ବରୁ ଚୟନ ହୋଇଥିବା କନ୍ୟା (ପାର୍ବତୀ)ପିତା ମାତାଙ୍କ ଘରକୁ ଯିବେ ।ଦେବ ଦମ୍ପତିଙ୍କ ବିବାହରେ ପାଖାପାଖି 2 କୋଟି ଟଙ୍କା ଖର୍ଚ୍ଚ ହେବ । ଏଥର ଝାଡୁଆପଡା ଅରଣ୍ୟକ ଶୀତଳଷଷ୍ଠୀ ଯାତ୍ରାର ମୋଟ ବ୍ୟୟ ଅଟକଳ 60 ଲକ୍ଷ ରହିଥିବା ବେଳେ, ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରାର 70 ଲକ୍ଷ ବ୍ୟୟ ଅଟକଳ ରହିଛି l ଅନ୍ୟପଟେ ମୁଦିପଡା ଶୀତଳଷଷ୍ଠୀ ଯାତ୍ରାର ବ୍ୟୟ ଅଟକଳ ରହିଛି 45 ଲକ୍ଷ ଟଙ୍କା l ଏଭଳି ଭାବରେ ଏହି 3 ଶୀତଳ ଷଷ୍ଠୀ ଯାତ୍ରା କମିଟିର ମୋଟ ବ୍ୟୟ ଅଟକଳ ପ୍ରାୟ 1 କୋଟି 70 ଲକ୍ଷ ହୋଇଛି |ଅନ୍ୟପଟେ ଏଥର ସମ୍ବଲପୁର ଝାଡୁଆପଡା ଅରଣ୍ୟକ ଶୀତଳଷଷ୍ଠୀ ଯାତ୍ରାର କନ୍ୟା ବା ମାତା ପାର୍ବତୀଙ୍କ ପିତା ମାତା ହୋଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ତାଙ୍କର ଧର୍ମପତ୍ନୀ l ଏଥିପାଇଁ ତାଙ୍କ ଘରେ ଏବେ ଦେବ ଦମ୍ପତି ଙ୍କ ବିବାହ ର ପ୍ରସ୍ତୁତି ସମ୍ପନ୍ନ ହୋଇଛି l ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ମାତା ପାର୍ବତୀଙ୍କ ପିତା ହେବା, ବହୁତ ବଡ଼ ସୌଭାଗ୍ୟ ମୋ ପାଇଁ l ମାତା ପାର୍ବତୀଙ୍କୁ କନ୍ୟାଦାନ କରିବାର ପୁଣ୍ୟ ଠାରୁ ବଡ଼ ପୁଣ୍ୟ ନାହିଁ l
