ଆପଣ ଯେଉଁ ଗାଡି ଚଲାଉଛନ୍ତି ଆଉ ଯଦି ସେହି ଗାଡିର ବୀମା ନାହିଁ ତେବେ ହୋଇଯାଆନ୍ତୁ ସାବଧାନ । ଏଣିକି ଗାଡିର ବୀମା ନଥିଲେ ଧରିବ ଟୋଲ୍ ଗେଟ୍। ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ୨୨ଟି ଟୋଲ ଗେଟରେ ଏହା କାର୍ଯ୍ୟକାରୀ ହେବ । ଏନେଇ ରାଜ୍ୟ ପରିବହନ ପ୍ରାଧିକରର ପକ୍ଷରୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ମୋଟର ଯାନ ଆଇନଧାରା ୧୪୬ ଅନୁଯାୟୀ, ପ୍ରତ୍ୟେକ ମୋଟର ଯାନ ବୈଧ ବୀମାଭୁକ୍ତ ହେବା ବାଧ୍ୟତାମୂଳକ । ଗାଡି ମାଲିକଙ୍କ ପାଖକୁ ଯିବ ଇ-ଚାଲାଣ। ଇ-ଡିଟେକସନ୍ ପ୍ରକ୍ରିୟାରେ ଏହି କାର୍ଯ୍ୟ ହେବ । ଟୋଲ୍ ଗେଟ୍ ଦେଇ ଯାଉଥିବା ମୋଟର ଯାନଗୁଡ଼ିକର ବୈଧ ବୀମା, ପ୍ରଦୂଷଣ ଓ ଫିଟନେସ୍ ସାର୍ଟିଫିକେଟ୍ ଅଛି କି ନାହିଁ
ତାହା ଯାଞ୍ଚ କରିବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ୨୦୨୨ରୁ ଇ-ଡିଟେକ୍ସନ ଆପ୍ଲିକେସନ୍ ପ୍ରସ୍ତୁତ କରିଛନ୍ତି। ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଟୋଲ୍ ଗେଟ୍ ସହ ଇ-ଡିଟେକ୍ସନ ଆପ୍ଲିକେସନକୁ ସଂଯୋଗ କରାଯାଇ ଏହାର କାର୍ଯ୍ୟକାରିତାକୁ ପରୀକ୍ଷାମୂଳକ ଭାବେ ପରୀକ୍ଷା କରାଯାଇଛି । ଟୋଲ୍ ଗେଟ୍ ଦେଇ ଯାଉଥିବା ସମସ୍ତ ମୋଟର ଯାନ ଉପରେ ନଜର ରଖିବା ପାଇଁ ରାଜ୍ୟ ସରକାର ଏହି ଇ-ଡିଟେକ୍ସନ ପୋର୍ଟାଲ୍ ପ୍ରସ୍ତୁତ କରିଛନ୍ତି ।ଏହାର ଉଲ୍ଲଙ୍ଘନ କଲେ ଧାରା ୧୯୬ ଅନୁଯାୟୀ ୨ ହଜାର ଟଙ୍କା ଜୋରିମାନା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ୍ କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ସେହିଭଳି ପୁନର୍ବାର ନିୟମ ଉଲ୍ଲଂଘନ କଲେ ଜରିମାନା ରାଶି ୪ ହଜାର ଟଙ୍କା କିମ୍ବା ୩ ମାସ ପର୍ଯ୍ୟନ୍ତ ଜେଲ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବାର ପ୍ରାବଧାନ ରହିଛି । ଅନେକ ଘରୋଇ ଓ ବ୍ୟବସାୟିକ ଗାଡ଼ି ନିୟମ ଉଲ୍ଲଙ୍ଘନ କରି ବୀମା କରୁନାହାନ୍ତି । ଫଳରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁରେ ମୃତକଙ୍କ ପରିବାର ଅନୁକମ୍ପା ମୂଳକ ବୀମା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି ।