ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ

ଊନବିଂଶ ଶତାବ୍ଦୀର ସତୁରି ଦଶକରେ ବହୁବିଧ ପଦକ୍ଷେପ ସତ୍ତ୍ୱେ ବାଘ ସଂଖ୍ୟାରେ ଦ୍ରୁତହ୍ରାସ ବିଶ୍ୱବ୍ୟାପୀ ଚହଳ ସୃଷ୍ଟି କରିଥିଲା। ଫଳରେ ଏହି ବିଲୁପ୍ତପ୍ରାୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ସୁରକ୍ଷା ଲାଗି ଚିନ୍ତାବ୍ୟକ୍ତ କରିଥିଲେ ବନ୍ୟପ୍ରାଣୀ ବିଶେଷଜ୍ଞ। ୨୦୧୦ରେ ରୁଷିଆର ବନ୍ଦରନଗରୀ ସେଣ୍ଟପିଟର୍ସବର୍ଗରେ ଆୟୋଜିତ ବ୍ୟାଘ୍ର ସମ୍ମେଳନରେ ବାଘ ବଂଶର ସୁରକ୍ଷା ଲାଗି ନୀତିଗତ ନିଷ୍ପତ୍ତି ହୋଇଥିଲା। ୨୦୨୨ ସୁଦ୍ଧା ବାଘବହୁଳ ରାଷ୍ଟ୍ରରେ ବ୍ୟାଘ୍ରସଂଖ୍ୟା ଦ୍ୱିଗୁଣିତ କରିବା ଲାଗି ଏଠାରେ ସହମତି ପ୍ରକାଶ ପାଇଥିଲା। ଏଥିସହ ପ୍ରତିବର୍ଷ ଜୁଲାଇ ୨୯କୁ ବାଘଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିଲା। ବାଘବଂଶର ସୁରକ୍ଷା, ସଂରକ୍ଷଣ ଏବଂ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ ୨୯ରେ ପାଳିତ ହେଉଛି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ। `X’ ମାଧ୍ୟମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ବନ୍ୟପ୍ରାଣୀ ଉତ୍ସାହୀମାନଙ୍କୁ, ବିଶେଷକରି ଯେଉଁମାନେ ବାଘ ସଂରକ୍ଷଣ ପ୍ରତି ଆଗ୍ରହୀ ସେମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।

ଭାରତ ସରକାରଙ୍କ ସର୍ବାଙ୍ଗୀନ ସଂରକ୍ଷଣ ପ୍ରୟାସ ଯୋଗୁଁ, ଭାରତରେ ବିଶ୍ବ ବ୍ୟାଘ୍ର ସଂଖ୍ୟାର 70% ରୁ ଅଧିକ ଅଛନ୍ତି । ଓଡ଼ିଶା ବିରଳ ମେଲାନିଷ୍ଟିକ୍ ବାଘର ମଧ୍ୟ ଆବାସସ୍ଥଳ, ଏହା ଏମିତି ଏକ ପ୍ରଜାତି ଯାହା ଅନ୍ୟ କୌଣସି ସ୍ଥାନରେ ଦେଖାଯାଏ ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେହିପରି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବି ସୋସିଆଲ ମିଡିଆ X ରେ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି- ବାଘ କେବଳ ଆମର ଜାତୀୟ ପଶୁ ନୁହେଁ, ଏହା ହେଉଛି ଶକ୍ତି ଓ ସାହସର ପ୍ରତୀକ । ଭାରତରେ ବିଶ୍ବର ସର୍ବାଧିକ ସଂଖ୍ୟକ ବାଘ ଥିବା ବେଳେ ଓଡ଼ିଶା ସେଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ ।

ଅଧିକ ପଢନ୍ତୁ

Odisha Darpan Digital