ଆଜି ଉତ୍କଳ ଦିବସ । ୯୦ ତମ ଉତ୍କଳ ଦିବସ ପାଳନ କରୁଛି ଓଡ଼ିଶା । ୧୯୩୬ ମସିହା ଏପ୍ରିଲ ୧ ତାରିଖ। ଓଡ଼ିଶା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବିସ୍ମରଣୀୟ ତାରିଖ। ଯାହାକୁ ନେଇ ପ୍ରତ୍ୟେକ ଓଡ଼ିଆ ନିଜକୁ ଗର୍ବିତ ଅନୁଭବ କରନ୍ତି।ଭାଷା ଭିତ୍ତିରେ ରାଜ୍ୟ ଗଠନ ହେବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଏକ ସ୍ମତନ୍ତ୍ର ପ୍ରଦେଶ ଗଠନ ପାଇଁ ମଧୁସୂଦନ ଦାଶ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା ।ପ୍ରଥମେ ୬ଟି ଜିଲ୍ଲା ପୁରୀ, କଟକ, ବାଲେଶ୍ବର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡ଼ିଶା ଗଠନ କରାଯାଇଥିଲା । ଏହାପରେ ଧୀରେଧୀରେ ଜିଲ୍ଲା ସଂଖ୍ୟା ବଢ଼ିଥିଲା ।ଉତ୍କଳ ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ଵର। ରଙ୍ଗୀନ ଓ ଚିକ ମିକ୍ ଆଲୋକ ମାଳାରେ ଝଲସୁଛି ରାଜଧାନୀ। ସଜେଇ ହୋଇଛି ସରକାରୀ ଦପ୍ତର। ବିଧାନସଭା ଠାରୁ ଆରମ୍ଭ କରି ଲୋକ ଭବନ, ଖାରବେଳ ଭବନ, ରାଜୀବ ଭବନ, AG ଅଫିସ , ଜୟଦେବ ଭବନ, ପୋଲିସ ସେବା ଭବନ, BDA ଅଫିସ ସମେତ ବିଭିନ୍ନ ସରକାରୀ ଦପ୍ତର ସଜେଇ ହୋଇଛି। ଉତ୍କଳ ଦିବସ ଓଡିଶାର ସ୍ୱତନ୍ତ୍ର ପରିଚୟ ଏବଂ ପ୍ରତିଷ୍ଠା ଦିବସକୁ ମନେ ରଖିବା ପାଇଁ ଏହି ଦିନକୁ ପାଳନ କରିଥାନ୍ତି କୋଟି କୋଟି ଓଡିଆ ।
