ଆଜି ଉପରାଷ୍ଟ୍ରପତି ନିର୍ବାଚନ

ଆଜି ଉପରାଷ୍ଟ୍ରପତି ନିର୍ବାଚନ । ୫୦ ଦିନ ପରେ ଜଗଦୀପ ଧନଖଡଙ୍କ ସ୍ଥାନରେ ଦେଶକୁ ମିଳିବ ନୂଆ ଉପରାଷ୍ଟ୍ରପତି । ସଂସଦ ଭବନ ପରିସରରେ ଆଜି ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ । ସନ୍ଧ୍ୟା ୬ଟାରେ ଭୋଟ୍ ଗଣତି ପରେ ଫଳ ଘୋଷଣା କରାଯିବ। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଏବଂ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ୍‌ ସେମାନଙ୍କ ଏମ୍‌ପିମାନଙ୍କୁ ସୋମବାର ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇବା ସହ ମକ୍‌ ପୋଲ୍‌ କରାଇଛନ୍ତି। ନିର୍ବାଚନ ନିୟମାବଳୀ ଅନୁଯାୟୀ, ଏମ୍‌ପିମାନଙ୍କୁ ୨ ପ୍ରାର୍ଥୀଙ୍କ ନାମ ଥିବା ବାଲଟ ପେପର ଦିଆଯିବ। ସେମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କ ନାମ ପାର୍ଶ୍ୱରେ ‘୧’ ଲେଖିବେ। ସେମାନେ ଭାରତୀୟ, ରୋମାନ୍‌ କିମ୍ବା ଅନ୍ୟ ଅନ୍ତର୍ଜାତୀୟ ଭାଷାରେ ଅଙ୍କରେ ଉକ୍ତ ସଂଖ୍ୟା ଲେଖିବେ, ଅକ୍ଷରରେ ନୁହେଁ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଉଦ୍ଦିଷ୍ଟ ଇଲେକ୍ଟୋରାଲ କଲେଜର ମୋଟ ସଦସ୍ୟ ସଂଖ୍ୟା ୭୮୮। ସେମାନଙ୍କ ମଧ୍ୟରୁ ୨୪୫ ଜଣ ରାଜ୍ୟ ସଭା ଓ ୫୪୩ ଜଣ ଲୋକ ସଭା ସଦସ୍ୟ। ରାଜ୍ୟ ସଭାର ୧୨ ମନୋନୀତ ସଦସ୍ୟ ମଧ୍ୟ ଭୋଟ ଦେବେ। ସମ୍ପ୍ରତି ରାଜ୍ୟ ସଭାରେ ୬ ଏବଂ ଲୋକ ସଭାର ଗୋଟିଏ ଆସନ ଖାଲି ପଡ଼ିଥିବାରୁ ଇଲେକ୍ଟୋରାଲ କଲେଜର ସଦସ୍ୟ ସଂଖ୍ୟା ୭୮୧କୁ ହ୍ରାସ ପାଇଛି। ଏହା ବ୍ୟତୀତ ଓଡ଼ିଶାର ବିଜେଡି ଏବଂ କେ. ଚନ୍ଦ୍ରଶେଖର ରାଓଙ୍କ ବିଆର୍‌ଏସ୍‌ ଭୋଟଦାନରୁ ବିରତ ରହିବେ ବୋଲି ଘୋଷଣା କରିଛନ୍ତି। ଫଳରେ ମୋଟ ୭୭୦ ସଦସ୍ୟ ଭୋଟ ଦେବାକୁ ଥିବାରୁ ନିର୍ବାଚନ ଜିତିବା ପାଇଁ କୁହୁକ ସଂଖ୍ୟା ୩୮୬ ହୋଇଥିବାବେଳେ ଏନ୍‌ଡିଏ ପାଖରେ ୪୨୫ ଏବଂ ବିରୋଧୀ କ୍ୟାମ୍ପ୍‌ରେ ୩୨୪ ସଦସ୍ୟ ରହିଛନ୍ତି। ଶାସକ ଏବଂ ବିରୋଧୀ ମେଣ୍ଟ ବାହାରେ ରହିଥିବା ଓ୍ବାଇଏସ୍‌ଆର୍‌ସିପିର ୧୧ ସଦସ୍ୟ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ଅଧିକ ପଢନ୍ତୁ