ପୁଣି ଫେରିଛି କରୋନା । ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମଣ ମାମଲା । ଦେଶରେ ମୋଟ ଆକ୍ଟିଭ କେସ୍ ହଜାରେ ଟପିଛି । ଯାହାକୁ ନେଇ ଚିନ୍ତାର କାରଣ ପାଲଟିଛି ।ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ତିରୁଅନନ୍ତପୁରମ ଭଳି କରୋନା ମାମଲା ଦେଖିବାକୁ ମିଳିଛି । ଦକ୍ଷିଣ ଭାରତୀୟ ରାଜ୍ୟ କେରଳ, ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ଦିଲ୍ଲୀରେ କରୋନା ଚିନ୍ତା ବଢାଇ ଦେଇଛି । ସେହିପରି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ସବୁଠୁ ଅଧିକ ସଂକ୍ରମିତ କେରଳରୁ ଚିହ୍ନଟ ହେଉଛନ୍ତି । ପରେ ମହାରାଷ୍ଟ୍ର ଓ ଦିଲ୍ଲୀ ରହିଛନ୍ତି । ଏଥିସହ ଦକ୍ଷିଣ ଭାରତ ରାଜ୍ୟରେ ମଧ୍ୟ ସଂକ୍ରମଣରେ ଲଗାମ୍ ଲାଗୁନି ।। ବଢୁଥିବା ସଂକ୍ରମଣକୁ ନେଇ ସତର୍କ ରହିଛି ସ୍ୱାସ୍ଥ୍ୟବିଭାଗ । ଆଜି (ବୁଧବାର) ଅପରାହ୍ଣ ୧୨ଟାରେ ସବୁ ରାଜ୍ୟ ସହ କୋଭିଡ୍ ସ୍ଥିତି ନେଇ ବୈଠକ କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। ଏନେଇ ଭିଡିଓ କନଫରରେନ୍ସିଂରେ ସବୁ ରାଜ୍ୟର ଅଧିକାରୀ ସାମିଲ ହେବେ। ଦେଶରେ ବ୍ୟାପୁଥିବା ଦୁଇଟି ଭ୍ୟାରିଏଣ୍ଟରେ କେବଳ ଥଣ୍ଡା କାଶ ଲକ୍ଷଣ ଦେଖାଯାଉଛି । ରାଜ୍ୟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ଦେଶର ସ୍ଥିତିକୁ ଦେଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଦେଶରେ ସଂକ୍ରମଣ ବଢ଼ିବା ଭିତରେ ଆଇସିଏମ୍ଆର ସତର୍କ ରହିବାକୁ ଓ ଭୟଭୀତ ନ ହେବାକୁ କହିଛି । ତେବେ ସ୍ଥିତିକୁ ଦେଖି ଡାକ୍ତରଖାନାରେ ଆବଶ୍ୟକୀୟ ଔଷଧ, ବେଡ୍ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ଉପକରଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କରୋନାର ପୂର୍ବ ପ୍ରଜାତି ଓ ଉପପ୍ରଜାତି ପରି ଏହି ନୂଆ ଭୂତାଣୁରେ ମଧ୍ୟ ସଂକ୍ରମିତଙ୍କ ନିକଟରେ ସମାନ ଲକ୍ଷଣ ପ୍ରକାଶ ପାଉଛି ।
