ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଆଜି ୫୦ ତମ ଶୁଣାଣି । ଉଭୟ ଓଡ଼ିଶା ଓ ଛତିଶଗଡ଼ ଟ୍ରିବ୍ୟୁନାଲରେ ନିଜର ପକ୍ଷ ଓ ଆପୋସ ବୁଝାମଣାର ଅଗ୍ରଗତି ବିଷୟରେ ଜଣାଇବେ। ପୂର୍ବରୁ ୪୯ଟି ଶୁଣାଣିରେ କୌଣସି ସମାଧାନ ହୋଇପାରିନାହିଁ । ଟ୍ରିବ୍ୟୁନାଲ୍ ଏପର୍ଯ୍ୟନ୍ତ ଜଳ ବଣ୍ଟନ ସମ୍ପର୍କରେ କୌଣସି ଅନ୍ତରୀଣ ବା ଚୂଡ଼ାନ୍ତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିନାହାନ୍ତି । ଆଶା, ଆକାଂକ୍ଷା ଅନେକ ଅଛି, ହେଲେ ଫଳାଫଳ ଆସିବା ସମ୍ଭାବନା କ୍ଷୀଣ । କେବଳ ନୂଆ ତାରିଖ ନେଇ ଫେରିବ ଓଡ଼ିଶା । ଏଭଳି ସ୍ଥିତି ଗତ ୭ ବର୍ଷ ଧରି ରାଜ୍ୟବାସୀ ଦେଖୁଛନ୍ତି । ନୂଆ ସରକାର ଆସିବା ପରେ ଟ୍ରିବ୍ୟୁନାଲ ଅପେକ୍ଷା ଆପୋଷ ବୁଝାମଣା ପାଇଁ ଅଧିକ ତତ୍ପରତା ଦେଖାଇଛି । ତେଣୁ ଆଜି ଶୁଣାଣିରେ ଟ୍ରିବ୍ୟୁନାଲ କଣ ପରବର୍ତ୍ତୀ ନିର୍ଦ୍ଦେଶ ଦେଉଛନ୍ତି ତା ଉପରେ ନଜର ରହିବ । ଗତବର୍ଷ ଅଗଷ୍ଟ ମାସରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ଆପୋସ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ପ୍ରୟାସ ଆରମ୍ଭ କରିଥିଲେ ।
