ଆମେରିକାର କେନ୍ଦ୍ରୀୟ କମାଣ୍ଡ ଏକ ବିବୃତ୍ତିରେ କହିଛି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ଅନୁଯାୟୀ ଏହା ୧୩ ଏପ୍ରିଲ୍ ସ୍ଥାନୀୟ ସମୟ ସକାଳ ୧୦ଟାରୁ ଇରାନ ବନ୍ଦରକୁ ସମସ୍ତ ସାମୁଦ୍ରିକ ପରିବହନକୁ ଅବରୋଧ କରିବା ଆରମ୍ଭ କରିବ। ଇରାନ ସହ ଚାଲିଥିବା ଶାନ୍ତି ଆଲୋଚନା ବିଫଳ ହେବା ପରେ ଟ୍ରମ୍ପ ଏହି କଠୋର ନିଷ୍ପତ୍ତି ନେଇଛନ୍ତି । ଟ୍ରମ୍ପ କହିଛନ୍ତି, କୌଣସି ବି ଜାହାଜ ଏହି ପଥ ଦେଇ ଯାତାୟାତ କରିପାରିବେ ନାହିଁ । ଯଦି ଆମେରିକା କିମ୍ବା ଅନ୍ୟ କୌଣସି ଶାନ୍ତିପୂର୍ଣ୍ଣ ଜାହାଜ ଉପରେ ଇରାନ ଆକ୍ରମଣ କରେ, ତେବେ ତାକୁ ଧ୍ୱଂସ କରିଦିଆଯିବ। ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ସମୁଦ୍ର ପଥ ଉପରେ ଏକଛତ୍ରବାଦକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି ।ଇରାନ ଆଲୋଚନା ବିଫଳ ହେବା ପରେ ବିଶ୍ବ ତୈଳ ବଜାର ପାଇଁ ସଙ୍କଟ ବଢ଼ିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ପୁଣି ଦ୍ରୁତ ଗତିରେ ବଢ଼ିବା ଆଶଙ୍କା ଉପୁଜିଛି। ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ବନ୍ଦ ହେଲେ ଭାରତରେ ତେଲ ଓ ଗ୍ୟାସ୍ ସଙ୍କଟ ସୃଷ୍ଟି ହୋଇପାରେ। କାରଣ ଏହି ବାଟ ଦେଇ ଭାରତ ପ୍ରତିଦିନ ୨.୫-୨.୭ ନିୟୁତ ବ୍ୟାରେଲ୍ ତେଲ ଆମଦାନି କରୁଛି। ଭାରତକୁ ମୁଖ୍ୟତଃ ଇରାକ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଓ କୁଏତ୍ରୁ ତେଲ ଓ ଗ୍ୟାସ୍ ଆସିପାରିବ ନାହିଁ। ଯୁଦ୍ଧ ପାଇଁ ଏମିତିରେ ବି ଦେଶରେ ତେଲ ଓ ଗ୍ୟାସ୍ର ଅଭାବ ରହିଛି।ଇରାନ ସେନା (IRGC) କହିଛି, ସମୁଦ୍ର ପଥ ଉପରେ ସେମାନଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି। ଆମେରିକା ଯଦି କୌଣସି ଭୁଲ୍ ପଦକ୍ଷେପ ନିଏ, ତେବେ ତାକୁ ସମୁଦ୍ର ଭିତରେ ଏକ ‘ମରଣଯନ୍ତା’ ର ସାମ୍ନା କରିବାକୁ ପଡ଼ିବ। ସେମାନେ ଛୋଟ ଯୁଦ୍ଧ ଜାହାଜ, ଡ୍ରୋନ୍ ଏବଂ ମିସାଇଲ୍ ସାହାଯ୍ୟରେ ଆମେରିକାକୁ ରୋକିବାକୁ ପ୍ରସ୍ତୁତ ଅଛନ୍ତି । ଅନ୍ୟପଟେ ଏହି ସଂଘର୍ଷରେ ବ୍ରିଟେନ, ଜାପାନ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ କୋରିଆ ପରି ଦେଶମାନେ ଆମେରିକାକୁ ସହଯୋଗ କରିବାକୁ ସଙ୍କେତ ଦେଇଛନ୍ତି । ତେବେ ସ୍ପେନ୍ ପରି କିଛି ଦେଶ ଏହି ଯୁଦ୍ଧ ମଧ୍ୟକୁ ପଶିବା ପାଇଁ ସାବଧାନତା ଅବଲମ୍ବନ କରୁଛନ୍ତି ।
