ଆଜି ନୂଆଁଖାଇ । ପଶ୍ଚିମ ଓଡ଼ିଶାର ଗଣପର୍ବ । ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ପୂରା ପରିବାର ଏକାଠି ବସି ନୂଆ ଖାଇବାର ପରମ୍ପରା ରହିଛି । ପୂର୍ବାହ୍ନ ୧୦ଟା ୩୩ ରୁ ୧୦ଟା ୫୫ ମଧ୍ୟମରେ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ନିକଟରେ ଲାଗି ହେବ ନବାନ୍ନ ।ପଶ୍ଚିମ ଓଡ଼ିଶା ଅନ୍ତର୍ଗତ ସୁନ୍ଦରଗଡ଼ ଜିଲାର ଶିଖରବାସିନୀ ଓ ସମଲେଇ, ନୂଆପଡ଼ା ଜିଲାର ଟାନୱାନ କଣା ଭଇଁରା ଓ ସମଲେଇ, ବରଗଡ଼ ଓ ଝାରସୁଗୁଡ଼ା ଜିଲାର ସମଲେଇ, ବଲାଙ୍ଗୀରର ଇଷ୍ଟଦେବୀ ପାଟଣେଶ୍ୱରୀ, ସୁବର୍ଣ୍ଣପୁରର ଇଷ୍ଟଦେବୀ ସୁରେଶ୍ୱରୀ ଓ ବୌଦ୍ଧ ଜିଲାର ଭୈରବୀଙ୍କ ପୀଠରେ ମଧ୍ୟ ନୂଆଁଖାଇ ସକାଶେ ପ୍ରସ୍ତୁତି ଚୂଡାନ୍ତ ହୋଇଛି ା ନୂଆଁଖାଇ ଭେଟ୍ଘାଟ ଲାଗି ସମ୍ବଲପୁର ସ୍ଥିତ ତପସ୍ବିନୀ ପ୍ରେକ୍ଷାଳୟ, ନନ୍ଦପଡ଼ା ବାଲୁଙ୍କେଶ୍ୱର କଲ୍ୟାଣ ମଣ୍ଡପ ସ୍ଥିତ ଚିତ୍ରୋତ୍ପଳା ମଞ୍ଚ, ବଡ଼ବଜାର ସମଲେଶ୍ୱରୀ ମଣ୍ଡପକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜ୍ଜିତ କରାଯାଇଛି। ସାରା ପଶ୍ଚିମ ଓଡ଼ିଶାର ଘରେ ଘରେ ପରିବାର ସଦସ୍ୟ ଆସି ପହଞ୍ଚି ସାରିଛନ୍ତି । ପୂରା ପରିବାର ଏକାଠି ହେବା ପରେ ଘର ଉତ୍ସାହରେ ଫାଟି ପଡୁଛି । ଭଳିକି ଭଳି ପିଠାପଣାର ଆସରରେ ଘର ମହକି ଉଠୁଛି ।
