ଆଜି ପଖାଳ ଦିବସ । ସବୁଠି ଜମିବ ପଖାଳର ଆସର

ପଖାଳ ! ଓଡ଼ିଆ ଜୀବନରେ ଏହା କେବଳ ଏକ ଖାଦ୍ୟ ନୁହେଁ, ଏହା ଏକ ଭାବନା, ଏକ ପରିଚୟ ଓ ଏକ ଆବେଗ । ପଖାଳକୁ ଓଡ଼ିଆ ଜାତିର ଆତ୍ମାର ସ୍ୱାଦ ମଧ୍ୟ କୁହାଯାଏ । ଏପରିକି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ମଧ୍ୟ ପଖାଳ ଭୋଗ ଲାଗେ, ଯାହା ଏହାର ସାମ୍ପ୍ରଦାୟିକ ଓ ଧାର୍ମିକ ଗୁରୁତ୍ୱକୁ ଆଉ ବଢ଼ାଇଦିଏ ।ବିଶେଷ କରି ଓଡ଼ିଶାର ଗ୍ରୀଷ୍ମ ଋତୁରେ ଶରୀରକୁ ଥଣ୍ଡା ରଖିବା ପାଇଁ ପଖାଳର ବିକଳ୍ପ ନାହିଁ। ଭାତକୁ ପାଣିରେ ଭିଜାଇ ରଖିବା ଦ୍ୱାରା ହେଉଥିବା ଫେର୍ମେଣ୍ଟେସନ୍ ପ୍ରକ୍ରିୟା ଯୋଗୁଁ ଏଥିରେ ଲାକ୍ଟୋବାସିଲସ୍ ଭଳି ଉପକାରୀ ବ୍ୟାକ୍ଟେରିଆ ସୃଷ୍ଟି ହୁଅନ୍ତି, ଯାହା ଆମର ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ, ପଖାଳରେ ପୋଟାସିୟମ୍, ସୋଡିୟମ୍ ଏବଂ କ୍ୟାଲସିୟମ୍ ଭଳି ମିନେରାଲ୍ସର ମାତ୍ରା ବୃଦ୍ଧି ପାଇଥାଏ, ଯାହା ରକ୍ତଚାପ ନିୟନ୍ତ୍ରଣ କରିବା ସହ ଦେହକୁ ସତେଜ ରଖେ। ଏହା ଏକ ପ୍ରାକୃତିକ ପ୍ରୋବାୟୋଟିକ୍‌ ଭାବେ କାମ କରେ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ କ୍ଳାନ୍ତି ଦୂର କରିବାରେ ସାହାଯ୍ୟ କରିଥାଏ।ପ୍ରତିବର୍ଷ ମାର୍ଚ୍ଚ ୨୦ରେ ବିଶ୍ୱ ପଖାଳ ଦିବସ ପାଳନ କରାଯାଉଛି । ୨୦୧୧ରୁ କିଛି ଓଡ଼ିଆ ଓ ସ୍ୱେଚ୍ଛାସେବୀ ସଂଗଠନଙ୍କ ପ୍ରୟାସରେ ଏହାର ଆରମ୍ଭ ହୋଇଥିଲା । ପରେ ଏହା ବିଶ୍ୱବ୍ୟାପୀ ଓଡ଼ିଆମାନଙ୍କ ମଧ୍ୟରେ ବିପୁଳ ସମର୍ଥନ ପାଇଥିଲା । ବିଶେଷକରି ୨୦୧୫ରେ ସୋସିଆଲ୍ ମିଡିଆରେ ଏହା ବେଶ୍ ଟ୍ରେଣ୍ଡ୍ ହୋଇଥିଲା, ଯାହା ପରେ ଏହା ଅଘୋଷିତ “ପଖାଳ ଦିବସ” ଭାବେ ପରିଚିତ ହେଲା ।AIIMS ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ, ସ୍ପଷ୍ଟ କରାଯାଇଥିଲା କି, ଯେଉଁମାନେ ପ୍ରତିଦିନ ପଖାଳ କିମ୍ବା ତୋରାଣି ପିଅନ୍ତି ସେମାନଙ୍କର ଇମ୍ୟୁନିଟି ପାୱାର ବଢେ । ବାସି ପଖାଳରେ ଥିବା ସର୍ଟ ଚେନ୍ ଫ୍ୟାଟି ଏସିଡ୍‌ର ପ୍ରଦାହରୋଧୀ ବା ଆଣ୍ଟି-ଇନ୍‌ଫ୍ଲେମାଟୋରୀ ଗୁଣ ରହିଛି । ତୋରାଣିରେ ଥିବା ଲୋବାସିଲସ୍ ଜୀବାଣୁ ଶରୀରରେ ଇମ୍ୟୁନୋଗ୍ଲୋବୁଲିନ୍ କ୍ଷରଣରେ ସହାୟକ ହୁଏ, ଯାହାକି ଫୁସଫୁସ୍‌ ଓ ଅନ୍ତଃନଳୀ ସଂକ୍ରମଣକୁ ରୋକିଥାଏ । ଖାଲି ଏତିକି ନୁହେଁ ପଖାଳ ଅପପୁଷ୍ଟି ରୋକିବାକୁ ଏବଂ ଗର୍ଭବତୀ ମହିଳାଙ୍କ ଭ୍ରୁଣର ବିକାଶ ପାଇଁ ଖୁବ୍ ଉପକାରୀ ।

ଅଧିକ ପଢନ୍ତୁ